ଫୁଲବାଣୀ: ରାଇକିଆ ଥାନା ଅନ୍ତର୍ଗତ କୋଲୋଣୀ ସାହି ନିକଟ ଏକ ଖାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବତୀ ଜଣକ ହେଲେ ବୁଦ୍ଧିଆ ପାଙ୍ଗା ଗାଁର ଡଡିଙ୍ଗିଆ ପଞ୍ଚାୟତର ୱାର୍ଡ ମେମ୍ବର କିଶୋର ପ୍ରଧାନଙ୍କ ଝିଅ ଅଞ୍ଜୁତା ପ୍ରଧାନ (୨୨) । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।
ସୂଚନା ଅନୁଯାଇ, କୋଲୋଣୀ ସାହିର ଜ୍ୟୋସ୍ନା ପ୍ରଧାନ ନାମକ ଜଣେ ଶୁକ୍ରବାର ସକାଳୁ ଗାଁ ନିକଟ ପାହାଡକୁ ଯାଉଥିଲେ । ଏହି ସମୟରେ ଜଣେ ଯୁବତୀଙ୍କ ମୃତଦେହ ଖାଲରେ ପଡିଥିବା ଦେଖି ଗାଁରେ କହିଥିଲେ । ଗାଁ ଲୋକେ ଏନେଇ ରାଇକିଆ ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା ।
ପୋଲିସ ତଦନ୍ତରୁ ଜଣାଯାଇଛି ମୃତ ଯୁବତୀ ଅଞ୍ଜୁତା ପ୍ରଧାନ ବୁଧିଆ ପାଙ୍ଗା ଗାଁରେ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଅଞ୍ଜୁତା ଗତା ଗୁରୁବାର ସକାଳୁ ଫୁଲବାଣୀ ଯାଉଛି ସନ୍ଧ୍ୟା ବେଳେ ଫେରିବି କହି ଘରୁ ବାହାରିଥିଲା । ତେବେ ସନ୍ଧ୍ୟା ସୁଦ୍ଧା ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ଅଞ୍ଜୁତାର ଖୋଜ ଖବର ପାଇନଥିଲେ । ଶୁକ୍ରବାର ସକାଳୁ କୋଲୋଣୀ ସାହି ନିକଟ ଖାଲରେ ଜଣେ ଅଜଣା ଯୁବତୀର ମୃତଦେହ ପଡିଥିବା ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଅଞ୍ଜୁତାର ମୃତଦେହକୁ ଚିହ୍ନଟ କରିଥିଲେ । ଯୁବତୀକୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି । ସେପଟେ ପୋଲିସ ସାଇଣ୍ଟଫିକ ଟିମ୍ ସହାୟତାରେ ଖୋଳତାଡ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।
ଇଟିଭି ଭାରତ, ଫୁଲବାଣୀ