ଫୁଲବାଣୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ସଂଘବଦ୍ଧ ଭାବେ ଘରେ ପଶି ଜଣେ ବ୍ୟକ୍ତିଙ୍କ କାରର କାଚ ଭାଙ୍ଗିବା ସହିତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଫୁଲବାଣୀ ସଦର ଥାନାରେ ଏତଲା ଦିଆଯାଇଛି । ଏତଲା ଅନୁସାରେ ପୋଲିସ୍ କେସ ନଂ ୧୨/୨୩ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦରଥାନା ଅଧିକାରୀ ସୀମର କୁମାର ରାଉତ ସୂଚନା ଦେଇଛନ୍ତି ।
ଅଭିଯୋଗ ଅନୁସାରେ ସୋମବାର ରାତିରେ ସଦର ଥାନା ଅନ୍ତର୍ଗତ କେରେଡ଼ି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି କିଛି ଯୁବକ ସଂଘବଦ୍ଧ ଭାବେ ଜଣକ ଘରେ ପଶି ତାଙ୍କ କାରର କାଚ ଭାଙ୍ଗିଦେଇଥିଲେ । ଏହାସହ ଘରେ ଥିବା ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ପୀଡ଼ିତା ମହିଳା ଜଣକ ସଦର ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ସ୍ବାମୀ ନଥିବାବେଳେ ଯୁବକମାନେ ଜୋର ଜବରଦସ୍ତ ତାଙ୍କ ଘରକୁ ସଂଘବଦ୍ଧ ପଶିଥିଲେ ବୋଲି ଏତଲାରେ ଦର୍ଶାଯାଇଛି । ତେବେ ଘରେ ଥିବା ମହିଳା ଏହାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିବାବେଳେ ଏହି ଯୁବକମାନେ ଘରେ ଥିବା କାରର ଆଗ ଓ ପଛ କାଚ ଭାଙ୍ଗିଦେବା ସହିତ ମହିଳାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।
ପୀଡ଼ିତା ମହିଳା ଏବଂ ତାଙ୍କ ସ୍ବାମୀ କହିବା ଅନୁସାରେ ପ୍ରାୟ ୨ ମାସ ପୂର୍ବେ ଜଣେ ବ୍ୟକ୍ତି ମଦ୍ୟପାନ କରି ବିଚ ରାସ୍ତାରେ ଏକ ଧର୍ମକୁ ଆକ୍ଷେପ କରି ବିଭିନ୍ନ ଗାଳିଗୁଲଜ କରୁଥିଲେ । ଏହି ସମୟରେ ସେମାନେ ପ୍ରତିବାଦ କରିବାରୁ ସେହି ବ୍ୟକ୍ତିଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏନେଇ ସେହି ବ୍ୟକ୍ତିଙ୍କର ସହଯୋଗୀମାନେ ତାଙ୍କ ଘରେ ଏଭଳି କାଣ୍ଡ କରିଛନ୍ତି ବୋଲି ସେ ସନ୍ଦେହ କରୁଥିବା କହିବା ସହିତ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ ଦେଇଥିବା କହିଛନ୍ତି ।
ଇଟିଭି ଭାରତ, କନ୍ଧମାଳ