ଫୁଲବାଣୀ : ଖାଉଥିବା ସମୟରେ ଭୁଶୁଡି଼ ପଡ଼ିଲା କାନ୍ଥ । ଆଉ ଚାଲିଗଲା ଦୁଇଜଣଙ୍କ ଜୀବନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ତ୍ରିଦେବ ନଗରରେ । କାନ୍ଥ ପଡ଼ି ମା', ଝିଅ ମୃତ, ବାପା ଓ ଶିଶୁ ପୁଅ ଗୁରୁତର ହୋଇଛନ୍ତି । ଗତ କିଛିଦିନ ହେବ କନ୍ଧମାଳରେ ଲଗାଣ ବର୍ଷା ଜାରି ରହିଛି । ଏହି ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ସମୟରେ ଫୁଲବାଣୀ ତ୍ରିଦେବ ନଗରର ବ୍ରଜବନ୍ଧୁ ମାଝୀଙ୍କ ପରିବାର ଲୋକେ ଖାଉଥିଲେ । ଏହି ସମୟରେ ହଠାତ୍ ପଡ଼ୋଶୀ ଘରର କାନ୍ଥ ଧସି ପଡି଼ ଯାଇଥିଲା ।
ଫଳରେ କାନ୍ଥ ତଳେ ବାପା, ମା', ପୁଅ ଓ ଝିଅ ସମସ୍ତେ ଚାପି ହୋଇ ରହିଯାଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟିକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟି ସଦସ୍ୟ ପହଞ୍ଚି ପରିବାର ଲୋକଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମା' ଓ ଝିଅଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାରେ ଉଭୟ ବାପା ଓ ଶିଶୁପୁତ୍ର ଗୁରତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ସେପଟେ ଏହି ଅଘଟଣ ପାଇଁ ପଡୋଶୀଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ନିଅଁ ନଖୋଳି କାନ୍ଥ ନିର୍ମାଣ କରାଯାଇଥିବାରୁ କାନ୍ଥ ଭୁଶୁଡି଼ ପଡ଼ିଲା ବୋଲି ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ଇଟିଭି ଭାରତ, କନ୍ଧମାଳ