ଫୁଲବାଣୀ: ନଦୀରେ ଗାଧୋଇବାବେଳେ ଅଘଟଣ । ନଦୀ ସ୍ରୋତରେ ଭାସି ଜଣେ ଛାତ୍ରୀ ନିଖୋଜ ହୋଇଛନ୍ତି । ତେବେ 2ଜଣ ଛାତ୍ରୀ ଭାସି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଅନ୍ୟ ଜଣେ ଛାତ୍ରୀ ଏପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡ଼ିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଶ୍ରାଲିଗାଡି ଗାଁରେ । କୋଟଗଡ଼ ଥାନା ଅନ୍ତର୍ଗତ ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗାଡି ଗାଁରେ ଥିବା ପଲପଲି ନଦୀରେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହେଉଛି । ଏହି ନଦୀକୁ 4 ଜଣ ଛାତ୍ରୀ ଗାଧୋଇବା ପାଇଁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଅସାବଧନତାବଶତଃ 2 ଜଣଙ୍କ ଗୋଡ଼ ଖସି ଯାଇଥିଲା ।
ଶନିବାର ଅପରାହ୍ନରେ ଏଭଳି ଅଘଟଣ ଘଟିଛି। ଗାଧେଇବାବେଳେ ଗୋଡ଼ ଖସି ଯିବା ନଦୀ ସ୍ରୋତରେ ଭାସି ଯାଇଥିଲେ । ଛାତ୍ରୀମାନେ ହେଲେ ଆଲୋନି ଗାଉଁଟିଆ ଓ ଚାନ୍ଦିନୀ ମଲ୍ଲିକ। ସେମାନେ ଭାସି ଯାଉଥିବା ଦେଖି ଅନ୍ୟ ଯୁବତୀମାନେ ଆସି ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରବର୍ତ୍ତୀ ସମୟରେ ଆଲୋନି ଉଦ୍ଧାର ହୋଇଥିବାବେଳେ ଚାନ୍ଦିନୀ ଏବେବି ନିଖୋଜ ଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ...ବନ୍ୟା ଜଳରେ ଭାସିଗଲେ 2 ମହିଳା, 6ଘଣ୍ଟା ପରେ ଉଦ୍ଧାର
ଖବରପାଇ ପରିବାର ଲୋକେ ସାଙ୍ଗେ ସାଙ୍ଗେ କୋଟଗଡ଼ ଅଗ୍ନିଶମ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଦେଇଥିଲେ । ତେବେ ଆଲୋନି ଗାଉଁଟିଆଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାବେଳେ ଚାନ୍ଦିନୀ ମଲ୍ଳିକଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।
ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ଥିବା ଚାନ୍ଦିନୀ ମଲ୍ଲିକର କୌଣସି ପତ୍ତା ମିଲି ପାରିନାହିଁ । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଭଳି ସମ୍ବେଦନଶୀଳ ଘଟଣାର ଖବର ପାଇ କୋଟଗଡ଼ ବିଡ଼ିଓ ଅର୍ଜୁନ ପ୍ରଧାନ ଏବଂ ତହସିଲଦାର ଦିବାକର ମାଝି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। "କୋଟଗଡ଼ ବିଡ଼ିଓ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।" ବୋଲି ସୂଚନା ଦେଇଛନ୍ତି କୋଟଗଡ଼ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ । ତେବେ ଲଗାଣ ବର୍ଷାରେ ଜଳାଶୟଗୁଡ଼ିକ ପରିପୂର୍ଣ୍ଣ ରହିଥିବାବେଳେ ନଦୀଗୁଡ଼ିକରେ ମଧ୍ୟ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହେଉଛି । ଏପରି ସ୍ଥଳରେ ସଚେତନ ରହିବାର ଆବଶ୍ୟକତା ରହିଛି ।
ଇଟିଭି ଭାରତ, କନ୍ଧମାଳ