ଫୁଲବାଣୀ: ସଲପ ତାଡି ପିଆଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଅଭିଯୋଗରେ ଦୁଇ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଟଗଡ ପୋଲିସ । ସେପଟେ ପୀଡିତାଙ୍କ ଡାକ୍ତର ମାଇନା ରିପୋର୍ଟ ପୋଲିସକୁ ଲାଗିଗଲା ତିନି ଦିନ । କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ପକାରୀ ପଞ୍ଚାୟତର ଘଟଣା ।
ସୂଚନାଯୋଗ୍ୟ, ପିଦୁଡିମିଲା ଗାଁର ଓସେଫ ବଡମାଝି ନିଜ ବିବାହ ପୂର୍ବରୁ ଜାନୁଆରୀ 29 ତାରିଖରେ ଗାଁର 3 ଜଣ ଯୁବତୀ ସହ ଭୋଜିଭାତ କରିିଥିଲେ । ଗାଁ ଠାରୁ 500 ମିଟର ଦୂର ପେନାପେଟି ଜଙ୍ଗଲରେ ଭୋଜି କରି ଅତ୍ୟଧିକ ସଲପ ମଦ୍ୟ ପାନ କରିଥିଲେ । ତେବେ ସେହି ତିନି ଜଣ ଯୁବତୀଙ୍କ ମଧ୍ୟରୁ ଦୁଇ ଜଣ ଯେନତେନ ପ୍ରକାରରେ ଘରକୁ ଫେରି ଆସିଥିଲେ । ହେଲେ ଜୈନିକ ଯୁବତୀ ନିଶାସକ୍ତ ଅବସ୍ଥାରେ ସେଠାରେ ରହିଯାଇଥିଲେ ।
ଏହି ସମୟରେ ଓସେଫ ନିଜର ସମ୍ପର୍କୀୟ ଭାଇ ନୀଳାମ୍ବର ବଡମାଝିଙ୍କୁ ଡାକି ସହଯୋଗ କରିବାକୁ କହିଥିଲେ । ନିଳାମ୍ବର ଘଟଣାସ୍ଥଳରେ ପହଞ୍ଚିବା ପରେ ପୀଡିତା ଜଣକ ନିଶାସକ୍ତ ହୋଇ ପଡିଥିବା ଦେଖି ଓସେଫ, ନୀଳାମ୍ବର ମିଶି ଯୁବତୀକୁ ଦୁଷ୍କର୍ମ କରିଥିଲେ । ତେବେ ପରେ ଏହି ଘଟଣା ବିଷୟରେ ପୀଡିତାଙ୍କ ପରିବାର ଲୋକ ଜାଣିବା ପରେ କୋଟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ସେପଟେ, ଅଭିଯୋଗ ଅନୁସାରେ କୋଟଗଡ ଥାନା ଅଧିକାରୀ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲେ । ପୀଡିତାଙ୍କ ଡାକ୍ତର ମାଇନା ରିପୋର୍ଟ ପାଇଁ ପୋଲିସକୁ ତିନି ଦିନ ଲାଗି ଯାଇଥିଲା । ପ୍ରଥମେ କୋଟଗଡ ଡାକ୍ତରଖାନା ପରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଏବଂ ସେଠାରୁ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏହା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ଯିବା ପରେ ମିଳିଥିଲା ଡାକ୍ତର ରିପୋର୍ଟ । ତେବେ ଯଦି ଜଣେ ପୀଡିତାଙ୍କୁ ଡାକ୍ତରୀ ରିପୋର୍ଟ ପାଇଁ ବାରଦୁଆର ହେବାକୁ ପଡେ ଘଟଣାର ତଦନ୍ତ ବାଟବଣା ହେବାର ସମ୍ଭାବନା ରହୁଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ