ଫୁଲବାଣୀ: କାମରେ ଆସୁନି ସ୍ମାର୍ଟ ଶୌଚାଳୟ (Smart toilet Kandhamal ) । ପାଣି ବ୍ୟବସ୍ଥା ସହ ଆକର୍ଷଣୀୟ ରଙ୍ଗ ଦିଆଯାଇଛି ସତ ହେଲେ ଚକଚକିଆ ଦେଖାଯାଉଥିବା ଏହି ଶୌଚାଳୟରେ ଏବେ ତାଲା ଝୁଲୁଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଛି ସତ ହେଲେ ନିର୍ମାଣ ପରେ ତାଲା ଝୁଲୁଛି । ଦିନେ କି ୨ ଦିନ ନୁହେଁ ବର୍ଷ ବର୍ଷ ହେଲାଣି ତାଲା ପଡିଛି। କନ୍ଧମାଳ ଜିଲ୍ଲାର ପିଅନପଡ଼ା, ଫୁଲବାଣୀ ସାହି, ନଦିଖଣ୍ଡି ସାହିରେ ଦେଖିବାକୁ ମିଳିଛି ସ୍ମାର୍ଟ ଶୌଚାଳୟର ଏମିତି ଦୃଶ୍ୟ । ତାଲା ପଡିବା ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି ସତ ହେଲେ ତାହା ଖୋଲିବାର ନାଁ ଧରୁନି । ଫୁଲବାଣୀରେ ମୋଟ ୬ଟି ଶୌଚାଳୟ ଫୁଲବାଣୀ ମ୍ୟୁନିସିପାଲିଟି କରିଥିଲା କିନ୍ତୁ ବହୁ ବର୍ଷ ବିତିଥିଲେ ମଧ୍ୟ ସବୁଥିରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି ।
ସେହିପରି ବଜାରରେ ପରିବା ମାର୍କେଟ ପାଖରେ ଏକ ଶୌଚାଳୟ ନିର୍ମାଣ ହୋଇଛି ସେଠି ବି ନିର୍ମାଣ ପରଠାରୁ ତାଲା ପଡିଛି । କେବେ ଖୋଲା ହେବ କେହି କିଛି ଜାଣିନାହାନ୍ତି। ବଜାରକୁ ପରିବାର ନେଇ ଆସିଲେ ଲୋକେ ଶୌଚାଳୟ ଯାଇ ନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତ ମହିଳାଙ୍କ ପାଇଁ ଏହା ଏକ ବଡ ସମସ୍ୟା । ମ୍ୟୁନିସିପାଲିଟି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ମାର୍ଟ ଶୌଚାଳୟ ନିର୍ମାଣ ହୋଇଛି ହେଲେ ସେଠାରେ ତାଲା ପଡିବା ସହ ଶୌଚାଳୟ ଚତୁଃପାର୍ଶ୍ବ ଆବର୍ଜନାରେ ଭର୍ତ୍ତି ହୋଇଛି ।
ଏଥି ସହ ଶୌଚାଳୟ ସମ୍ମୁଖରେ ଗାଡି ମଟରଯାନ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ଜିଲ୍ଲା ସଦରମହକୁମା ଡାକ୍ତରଖାନା ପରିସରରେ ଓଏଫସିଆଇର ଛକ ନିକଟରେ ମଧ୍ୟ ଦୁଇଟି ସୁଲଭ ଶୌଚାଳୟ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯିବା ପରଠାରୁ ଗଲା ୧୦ ବର୍ଷ ହେଲା ତାଲା ଝୁଲୁଛି । ତ।ଲା ପଡିରହିବା ଫଳରେ ଏବେ ସେଗୁଡିକ ନଷ୍ଟ ହେବାକୁ ବସିଲାଣି । ସୁଲଭ ଶୌଚାଳୟଗୁଡିକ ବ୍ୟବହାର ନହେବା ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଏବେ ପାଣିରେ ପଡିବା ସଦୃଶ ମନେହେଉଛି ।ଏଥିପ୍ରତି କନ୍ଧମାଳ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡି ଆରଡିଏ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ