ଫୁଲବାଣୀ: କୋରୋନା ଲାଗି ଚାରିଆଡେ ନିଆଯାଉଛି ସତର୍କତା ପଦକ୍ଷେପ । କେନ୍ଦ୍ରସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟସରକାର ଏପରିକି ଜିଲ୍ଲା ପ୍ରଶାସନ ମଧ୍ୟ ଲୋକଙ୍କୁ ସଚେତନତା କରିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେବେ ଏପରି ସ୍ଥଳେ କୋରୋନାକୁ କିଛି ମାତ୍ରାରେ ପ୍ରତିହତ କରିବାକୁ ମାସ୍କର ବଡ ଆବଶ୍ୟକତା ରହିଛି। ତେବେ ବଜାରରେ ମାସ୍କ ପର୍ଯ୍ୟାପ୍ତ ପରିମାଣରେ ମିଳୁନଥିବାରୁ ଏହାକୁ ଦୃଷ୍ଟିରେ ରଖି କନ୍ଧମାଳର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଆଗକୁ ଆସି ମାସ୍କ ତିଆରିରେ ଲାଗିଛନ୍ତି ।
ଲୋକଙ୍କ ପାଇଁ ତିଆରି କରୁଛନ୍ତି ମାସ୍କ। କନ୍ଧମାଳର ତିନୋଟି ପ୍ରଡୁସର ଗ୍ରୁପର 30ରୁ ଅଧିକ ଏସଏଚଜି ଗ୍ରୁପ ଫୁଲବାଣୀ, ଘୁ.ଉଦୟଗିରି ଓ ରାଇକିଆରେ ତିଆରି କରୁଛନ୍ତି ମାସ୍କ। ନିଜେ ରୋଜଗାର କରିବା ସହିତ ସମାଜ ପାଇଁ କର୍ତ୍ତବ୍ୟ ପାଳନ କରୁଛନ୍ତି।
ଫୁଲବାଣୀ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ଚାଲିଛି ମାସ୍କ ତିଆରି କାମ। 20ରୁ ଅଧିକ ମହିଳା ମାସ୍କ ତିଆରି କାମରେ ଲାଗିଛନ୍ତି। ଭଲ କପଡାରେ ନିୟମ ମୁତାବକ ତିନିଥାକିଆ କରି ତିଆରି କରୁଛନ୍ତି ମାସ୍କ। ଗୋଟିଏ ମାସ୍କର ଦାମ 20 ରୁ 30 ଟଙ୍କା ରହିଛି। ଦିନକୁ ଜଣେ ଜଣେ ମହିଳା ଅନ୍ତତଃ ପକ୍ଷେ 300ରୁ 500 ରୋଜଗାର କରୁଛନ୍ତି।
କନକଦୁର୍ଗା ଉତ୍ପାଦନକାରୀ ଗୋଷ୍ଠିରେ 15ଟି ଏସଏଚଜି ଗ୍ରୁପ କାମ କରୁଥିବାବେଳେ ଫୁଲବାଣୀ ଜିଲାର ଘୁ.ଉଦୟଗିରିର ଆନନ୍ଦି ଓ ରାଇକିଆର ଆଶାର ଆଲୋକ ଉତ୍ପାଦନକାରୀ ଗୋଷ୍ଠି ମାସ୍କ ତିଆରିରେ ନିମଗ୍ନ ଅଛନ୍ତି। ତେବେ ମହିଳାଙ୍କୁ ସହାୟତା କରିବା ପାଇଁ ଜିଲ୍ଲା ପ୍ରଶାସନ ଦଶ ହଜାର ମାସ୍କର ଅଡର ଦେଇଛି। ଯାହା ଏସମୟରେ ମହିଳାଙ୍କୁ ସହାୟତା ହେବା ସହ ଲୋକଙ୍କ ପାଇଁ ମଧ୍ୟ କାମରେ ଆସୁଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ