କନ୍ଧମାଳ: ସୋମବାର 59 ନମ୍ବର ଜାତୀୟ ରାଜପଥରେ ଚାଲିଗଲା 3 ଜୀବନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଘଟିଯାଇଛି ଦୁଇ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ତିନି ଜଣ ।
ତେବେ ବାପା ଝିଅଙ୍କ ମୃତ୍ୟୁ ଥିଲା ହୃଦୟ ବିଦାରକ । ଦୁର୍ଘଟଣାରେ ଅନ୍ୟ 2 ଆହତ ହୋଇ ଏବେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲିଗୁଡ଼ା ଥାନା ତଗାକିଆ 59ନଂ ଜାତୀୟ ରାଜପଥରେ ଟାଟା ମ୍ୟାଜିକ୍ ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା ବେଳେ ମିଡିଆକିଆ ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣାରେ ବାପା, ଝିଅଙ୍କ ମୃତ୍ୟୁ ଘଟିଛି ।
ପୋଲିସର ସୂଚନା ଅନୁସାରେ, ତୁମୁଡ଼ିବନ୍ଧ ଅଞ୍ଚଳରୁ ବାପା,ମାଆ ଓ ଝିଅ ନିଜ ମୋଟରସାଇକେଲ ଯୋଗେ ସାରଙ୍ଗଡ଼ ଅଭିମୁଖେ ବାହାରିଥିଲେ । ବିପରୀତ ଦିଗରୁ ମଦ୍ୟପାନ କରି ଦୃତ ଗତିରେ ଆସୁଥିବା ମୋଟରସାଇକେଲ ଚାଳକ ଉତ୍ସବ ମଲ୍ଲିକର ବାଇକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାପା ବିପ୍ରବର ସାହୁ ଓ ଝିଅ ଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ରାଜଲକ୍ଷ୍ମୀ ସାହୁ ଗୁରୁତର ଆହତ ହୋଇଛନ୍ତି ।
ଏହାସହ ମଦ୍ୟପ ମୋଟରସାଇକେଲ ଚାଳକ ଉତ୍ସବ ମଲ୍ଲିକ ଓ ଗୁରୁତର ମାଆ ରାଜଲକ୍ଷ୍ମୀ ସାହୁଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବାଲିଗୁଡ଼ା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଁଞ୍ଚ ତଦନ୍ତ କରିଥିଲେ । ଏ ସମ୍ପର୍କରେ 2ଟି ମାମଲା ରୁଜୁ କରାଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ