ଫୁଲବାଣୀ: ମହାବାତ୍ୟା ‘ଫନି’ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲ୍ଲା ଏବଂ ରାଜଧାନୀ ଭୁବନେଶ୍ବର । ଫନି ତାଣ୍ଡବ ରଚାଇବାର 5 ଦିନରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି । କିନ୍ତୁ ଥମିନି ଫନି ପରର ଦୁର୍ଦ୍ଦଶା । କାହାକୁ ବେଘର କରିଛି, ତ ଆଉ କାହାକୁ ରୋଜଗାରହୀନ ଓ କାଙ୍ଗାଳ କରିଛି । ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ସାହାଯ୍ୟର ହାତ ବଢାଉଛନ୍ତି ସମସ୍ତେ । କନ୍ଧମାଳ ଜିଲ୍ଲା ମଧ୍ୟ ପୁରୀକୁ ସହାୟତା ପଠାଇଛି ।
‘ଫନି’ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଛି ସହାୟତା । କନ୍ଧମାଳ ଜିଲ୍ଲାରୁ 3ଟି ଟ୍ରକରେ ପଠାଯାଉଛି ରିଲିଫ ସାମଗ୍ରୀ । ପ୍ରଥମ ପର୍ଯ୍ୟାୟରେ 800 ରୋଲ ପଲିଥିନ ପୁରୀ ଜିଲ୍ଲାକୁ ପଠାଯାଉଛି । କନ୍ଧମାଳ ଜିଲ୍ଲାର ସମସ୍ତ 12ଟି ବ୍ଲକରୁ ପଲିଥିନ ସଂଗ୍ରହ କରାଯାଇ ପଠାଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅଫିସ ଜରୁରୀକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ । ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରିଲିଫ ବୋଝେଇ ଟ୍ରକ ଆଜି ପଠାଯାଇଛି ।
ଏହା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଦେବା ପାଇଁ ଅର୍ଥ ସଂଗ୍ରହ ଜାରି ରହିଛି । ଦିନେ ଦୁଇ ଦିନ ମଧ୍ୟରେ ଅର୍ଥ ସଂଗ୍ରହ କରି ପୁରୀ ଓ ଅନ୍ୟ ଜିଲ୍ଲା ପାଇଁ ସରକାରୀ ସ୍ଥରରେ ପଠାଯିବ ବୋଲି ସୂଚନା ମିଳିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ