ଫୁଲବାଣୀ: ଫୁଲବାଣୀକୁ ରେଳପଥ ସଂଯୋଗ ନେଇ ଜିଲ୍ଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା । ଗତକାଲି ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ଫୁଲବାଣୀକୁ ସଂଯୋଗ ନକରି ଚକାପାଦଠାରୁ ଖୋର୍ଦ୍ଧା ବଲାଙ୍ଗୀର ରେଳପଥକୁ ସଂଯୋଗ କରିବାକୁ ଡିପିଆର ପରିବର୍ତ୍ତନ ହୋଇଥିବା ଜଣାପଡିଛି । ଯାହାକୁ ପ୍ରତିବାଦ କରିଛି ରେଳପଥ କ୍ରିୟାନୁଷ୍ଠାନ କମିଟି ।
ତେବେ ଫୁଲବାଣୀରେ ଏକ ରେଳଷ୍ଟେସନ ହେବାକୁ ଥିବା ବେଳେ ବର୍ତ୍ତମାନର ରେଳ ୱେବସାଇଟ୍ରେ ଫୁଲବାଣୀ ସହର କଟିଯାଇଛି । କେବଳ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକରେ ଗୋଟିଏ ରେଳ ଷ୍ଟେସନ କରି କନ୍ଧମାଳବାସୀଙ୍କୁ ସରକାର ଲଲିପପ ଧରାଇବାକୁ ଚେଷ୍ଟା କରୁଛନ୍ତି । କୋରାପୁଟ ଭଳି ଜିଲ୍ଲାରେ ପାହାଡ ଘାଟି ଥିବା ସତ୍ତ୍ବେ ରେଳପଥ ନିର୍ମାଣ ହୋଇପାରିଥିଲା । ହେଲେ ଘାଟିପାହାଡ ଆଳଦେଖାଇ ଫୁଲବାଣୀ ସହରକୁ ରେଳପଥ ସଂଯୋଗ ନ ଦେବା ଦୁର୍ଭାଗ୍ୟଜନକ। ଦେଶ ସ୍ୱାଧିନତାର ୭୬ବର୍ଷ ପରେ ମଧ୍ୟ କନ୍ଧମାଳବାସୀ ରେଳସେବା ପାଇପାରି ନଥିବା ବେଳେ ଭବିଷ୍ୟତ ପିଢ଼ି ମଧ୍ୟ ରେଳସେବାରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରିଛି କନ୍ଧମାଳ ରେଳପଥ କ୍ରିୟାନୁଷ୍ଠାନ କମିଟି ।
ଏହା ମଧ୍ୟ ପଢନ୍ତୁ- ପ୍ରସ୍ତାବିତ ରେଳଲାଇନରୁ ବାଦ ପଡ଼ିଲା ଫୁଲବାଣୀ, ପ୍ରତିବାଦରେ କନ୍ଧମାଳ ବିକାଶ ପରିଷଦର ବନ୍ଦ ଡାକରା
ତେଣୁ ଜିଲ୍ଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ 3 ମାସ ଧରି ସଭାସମିତି ମାଧ୍ୟମରେ ସରକାରଙ୍କୁ ଅସନ୍ତୋଷ ଜାହିର କରିଥିବା ବେଳେ ନଭେମ୍ବର ୮ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଶୋଭାଯାତ୍ରା କରିବାକୁ ବାଧ୍ୟ ହୋଇଛନ୍ତି । ଏହା ସହିତ ଜିଲ୍ଲା ଦେଇ ଯିବାକୁ ଥିବା ଲାଞ୍ଜିଗଡ଼-ତାଳଚେର ଭାୟା ବାଲିଗୁଡ଼ା, ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ରେଳ ବିଭାଗ ଅନୁମୋଦନ କରି କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ଏହି ପ୍ରତିବାଦ ଶୋଭାଯାତ୍ରା ଅବସରରେ କମିଟିର ସଭାପତି କମଳାକାନ୍ତ ପାଣ୍ଡେଙ୍କ ସହ ଡ. ଅରୁପ ଜେନା, ଆବାହକ ଅଶୋକ ପରିଡ଼ାଙ୍କ ସମେତ ପ୍ରମୁଖ ବହୁ ପୁରୁଷ ମହିଳା ସହ ମିଶନ ଶକ୍ତିର ସଦସ୍ୟା ପ୍ରତିବାଦ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଫୁଲବାଣୀକୁ ରେଳ ସଂଯୋଗ ପାଇଁ ବିଭିନ୍ନ ସ୍କୋଗାନ୍ ଦିଆଯାଇଥିଲା । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଇଟିଭି ଭାରତ, ଫୁଲବାଣୀ