ଫୁଲବାଣୀ : ଚୋର ଗଲା ପରେ ପୋଲିସର ପହରା । ଜେଲ ବାହାର ଉପରେ ସବୁଠି ବନ୍ଧୁକ ଧାରି ସୁରକ୍ଷାକର୍ମୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କାରାଗାର ମଧ୍ୟରୁ ଫିଲ୍ମ ଷ୍ଟାଇଲରେ ଜଣେ କଏଦୀ ଫେରାର ହେବା ଘଟଣା । ଗତ ସମବାର ଦିନ ଦିନ ଦ୍ୱିପହରରେ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ କଏଦୀ ଫେରାର ହୋଇଥିଲେ । କଏଦୀ ଯିବାର ଚାରି ଦିନ ବିତି ଯାଇଥିଲେ ସୁଧା ପୋଲିସ ହାତ ଖାଲି ରହିଛି ।
ହତ୍ୟା ମାମଲାରେ ଦୁଇ ବର୍ଷ ହେବ ସଜା କାଟୁଥିବା ଆସାମୀ ଟୁକୁନା ମାଳୀ ସମସ୍ତଙ୍କୁ ଚକମା ଦେଇ ଜେଲରୁ ଫେରାର ହୋଇ ଯାଇଛି । କିଛି କଏଦୀ ବେଲରେ ଯିବାବେଳେ ତାଙ୍କ ସହ ଖସି ଯାଇଥିଲା ଟୁକୁନା । କିଛି କର୍ମଚାରୀଙ୍କ କହିବା କଥା ଫେରାର ହୋଇଯାଇଥିବା ଟୁକୁନା ଜେଲ ଜେଲ ସୁପରିଟେଣ୍ଡେଟଙ୍କର ଅତି ପ୍ରିୟ ଥିଲେ । ମୁଖ୍ୟ ଗେଟ ଚାବି ମଧ୍ୟ ଧରୁଥିଲା ଟୁକୁନା । ଏନେଇ ଜେଲରଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି ।
ଏପରିକି ଟୁକୁନା ନାଁରେ ରହିଛି ଏକାଧିକ ଅପରାଧିକ ମାମଲା । ଦାରିଙ୍ଗବାଡି କୁମାରୀ ଗାଁର ଟୁକୁନା ସେହି ଗାଁର ଅସହାୟ ମହିଳା ନିର୍ମଳା ଉଠାଣସିଙ୍ଗଙ୍କ ଠାରୁ ଇନ୍ଦିରା ଅବାସ କରାଇ ଦେବ କହି ଆଣିଥିଲା 23 ହଜାର ଟଙ୍କା । ହେଲେ ଘର କାଲାନି କି ଟଙ୍କା ଫେରାଇଲାନି । ବରଂ ଟଙ୍କା ଫେରେଇବା କହି ଘରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଅପରାଧରେ ଜେଲ ଗଲା ପରେ ବେଲରେ ଆସି ପ୍ରତିଶୋଧ ପରାୟଣ ହୋଇ ମହିଳାଙ୍କୁ ଜଙ୍ଗଲରେ ପୋଡି ଦେଇଥିଲା ।
୨୦୨୦ରେ ଗିରଫ ହୋଇ ଜେଲରେ ଥିଲା ଟୁକୁନା । ହେଲେ କଏଦୀ ନୁହେଁ ଜେଲରଙ୍କ ସହାୟକ ଭାବେ ସେ ଜେଲରେ ରହୁଥିବା ଅଭିଯୋଗ ହୋଇଛି । ଏନେଇ କ୍ୟାମେରା ସମ୍ମୁଖରେ କୈଣସି ପ୍ରତିକ୍ରିୟା ସଠିକ ଭାବେ ଦେଇ ନଥିଲେ ଜେଲର । ଟୁକୁନାକୁ ଖୋଜିବା ପାଇଁ ୪ଟି ଟିମ ଲାଗିଛି । ହେଲେ ଏ ପର୍ଯ୍ୟନ୍ତ ଟୁକୁନାର ଟେର ପାଉନି ପୋଲିସ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ