ଫୁଲବାଣୀ: ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ଗ୍ରାମରେ । ମୃତକ ଜଣକ ମହାସିଙ୍ଗି ଗ୍ରାମର ଯୁବକ ଲକ୍ଷ୍ମୀକାନ୍ତ କହଁର ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ଗତ ରାତି ପ୍ରାୟ ୮ଟା ସମୟରେ ଲକ୍ଷ୍ମୀକାନ୍ତ ବାଲିଗୁଡ଼ାରୁ ନିଜ ଗାଁ ମହାସିଙ୍ଗିକୁ ବାଇକ ଯୋଗେ ଫେରୁଥିଲେ । ସେହି ସମୟରେ ଖଡ୍ଗ ନଦୀ ନିକଟରେ ଏକ ଅଜଣା ଗାଡ଼ି ଲକ୍ଷ୍ମୀକାନ୍ତଙ୍କ ବାଇକକୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଲକ୍ଷ୍ମୀକାନ୍ତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ୫୯ ନଂ ଜାତୀୟ ରାଜପଥକୁ ଟାୟାର ଜାଳି ରାତ୍ର ୮ ଟାରୁ ସକାଳ ୪ ପର୍ଯ୍ୟନ୍ତ ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଥିଲେ ।
ଏହା ମଧ୍ୟ ପଢନ୍ତୁ - ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
ଏହା ମଧ୍ୟ ପଢନ୍ତୁ - Road Accident: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଜୀବନ
କିନ୍ତୁ ଉତ୍ୟକ୍ତ ଲୋକେ ମୃତକର ପରିବାରକୁ କ୍ଷତିପୂରଣ ସହ ରାସ୍ତାରେ ସ୍ପିଡ୍ ବ୍ରେକର, ଗ୍ରାମରେ ସିସିଟିଭି ବ୍ୟବସ୍ଥା, ନିୟମିତ ପାଟ୍ରୋଲିଂ ଏବଂ ଦୁର୍ଘଟଣା ଘଟାଇଥିବା ଚାଳକର ଲାଇସେନ୍ସ ରଦ୍ଦ କରିବା ଦାବିରେ ଅଡି ବସିଥିଲେ । ଫଳରେ ଦୀର୍ଘ ୮ ଘଣ୍ଟା ଧରି ରାସ୍ତାରୋକ ଜାରି ରହିଥିଲା । ପୋଲିସର ବହୁ ବୁଝାସୁଝା ପରେ ମଧ୍ୟ ରାସ୍ତାରୋକ ହଟି ନଥିଲା ଶେଷରେ ବାଧ୍ୟହୋଇ ପୋଲିସ ସମସ୍ତ ସର୍ତ୍ତରେ ରାଜି ହେବା ସହ ଲିଖିତ ଆକାରେ ଦେବା ପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ । ଅନ୍ୟପଟେ ଦୀର୍ଘ ୮ ଘଣ୍ଟା ଧରି ରାସ୍ତା ଅବରୋଧ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିଲା । ବାଲିଗୁଡ଼ା ଦେଇ ବ୍ରହ୍ମପୁର, ଭୁବନେଶ୍ୱର, କଳାହାଣ୍ଡି, ବଲାଙ୍ଗୀର , ରାୟଗଡ଼ା, କୋରାପୁଟ,ରାୟପୁର ଆଦି ଅଞ୍ଚଳକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ଫୁଲବାଣୀ