ଫୁଲବାଣୀ: ଶେଷ ପର୍ଯ୍ୟାୟରେ ପୌର ନିର୍ବାଚନ ପ୍ରଚାର । ଫଳରେ ସବୁ ଦଳର ପ୍ରାର୍ଥୀମାନେ ଡହ ଡହ ଖରାରେ ଭୋକଶୋଷ ଭୁଲି ପ୍ରଚାରକୁ ଜୋରଦାର କରୁଛନ୍ତି । ଅନେକ ନାମୀଦାମୀ କଳାକାର ମଧ୍ୟ ପ୍ରଚାର ମୈଦାନର ବୁଲୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡିର ପ୍ରଚାର ପାଇଁ ସୋମବାର ଓଲିଉଡର ନାମୀଦାମୀ ତଥା ଲୋକପ୍ରିୟ କଳାକାର ସବ୍ୟସାଚ୍ଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଫୁଲବାଣୀ ସହରର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ସାହିରେ ରୋଡ ଶୋ' କରିଛନ୍ତି । ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ପୁନମ କହଁର ଓ ଅନ୍ୟ ଦଳୀୟ ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ବିଜୟୀ କରିବା ଲାଗି ନିବେଦନ କରିଛନ୍ତି କଳାକାର ।
ବିଜେଡି ଷ୍ଟାର ପ୍ରଚାରକ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ପ୍ରଥମେ ସକାଳ ୧୧ଟାରେ ଏଫସିଆଇ ଛକ ୱ୲ର୍ଡ ନମ୍ବର ୯ରୁ ପ୍ରଚାର ଆରମ୍ଭ କରିଥିଲେ । ପରେ ଗାନ୍ଧୀ ଛକ ଦେଇ ମାନିକୁନ୍ଦା ପିଅନପଡ଼ା, ଡ଼ାକପାଲା, ଖାଲିଆ ବନ୍ଧ, ଆଦି ଅଞ୍ଚଳ ରୋଡ଼ ସୋ' କରିଥିଲେ । ପୁଣି ଅପରାହ୍ନରେ ସାଲୁକୀ ହୋଟେଲରୁ ବାହାରି ଡିଆରଡିଏ ଛକ ଦେଇ ମାଷ୍ଟରପଡ଼ା ୱାର୍ଡ ନମ୍ବର ୬, ରଥ ଛକ, ମେଡିକାଲ ଛକ, କୋର୍ଟ ଛକ, ଗୋପବନ୍ଧୁ ଛକ ଦେଇ ବିଜୁ ପଟ୍ଟନାୟକ ଛକରେ ପହଞ୍ଚିଥିଲେ । ସେଠାରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଏକ ସାଧାରଣ ସଭାରେ ସବ୍ୟର୍ଚ୍ଚିତା ଯୋଗ ଦେଇ ଅଧ୍ୟକ୍ଷା ଓ କାଉନସିଲରମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।
ପ୍ରଚାରରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ, ବିଧାୟକ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଅଧ୍ୟକ୍ଷା ପ୍ରାର୍ଥୀ ପୁନମ କହଁର ଓ ୧୩ କାଉନସିଲରମାନେ ସାମିଲ ଥିଲେ । ତେବେ ଷ୍ଟାର ପ୍ରଚାରକମାନଙ୍କ ପ୍ରଭାବ ଭୋଟରଙ୍କୁ କେତେ ପ୍ରଭାବିତ କରୁଛି ତାହା ଭୋଟ ଗଣତି ପରେ ଜଣାପଡିବ । ରୋଡ ସୋ' ସମୟରେ ସିନେ ଷ୍ଟାରଙ୍କୁ ଦେଖିବା ପାଇଁ ସହରରେ ଲୋକଙ୍କ ଭିଡ଼ ହୋଇଥିଲା ଓ ବଜାରରେ ଟ୍ରାଫିକ ମଧ୍ୟ ଜାମ ହୋଇଥିଲା ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ