ଫୁଲବାଣୀ: ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା । ସାରଙ୍ଗଡ ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଦା ମୂଳରୁ ଏକ ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ହେଲେ ସାରଙ୍ଗଡ଼ ନିକଟସ୍ଥ କୁଲର ପଦର ଗ୍ରାମର ଟଟେ ମଳିକଙ୍କ ପୁଅ ପ୍ରଦୀପ ମଳିକ l ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁଯାୟୀ ପ୍ରଦୀପ ତାମିଲନାଡୁରେ ରହି କାମ କରୁଥିଲେ l ସେ ଗୁଞ୍ଜିବାଡ଼ି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । କିନ୍ତୁ ଯୁବତୀର ଭାଇ ଯତୀନ ପ୍ରଧାନ ଏହାକୁ ବିରୋଧ କରି ଆସୁଥିଲେ l ଯୁବକ ଜଣକ ତାମିଲନାଡୁରୁ ନିଜ ଗ୍ରାମକୁ ଫେରିବା ପରେ ଗତକାଲି ଯୁବତୀଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ l ଏହି ପ୍ରେମ ସମ୍ପର୍କକୁ ବିରୋଧ କରି ଆସୁଥିବା ଯତୀନ ପ୍ରଧାନ ଯୁବକଙ୍କୁ ଦେଖି ହଠାତ୍ ରାଗି ଯାଇଥିଲେ । ଯତୀନ ରାଗରେ ଏକ କୁରାଢ଼ୀ ଆଣି ପ୍ରଦୀପକୁ ମାରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପ୍ରଦୀପ ଚେତାଶୂନ୍ୟ ହୋଇପଡିଥିଲେ । ଏହା ପରେ ଅଭିଯୁକ୍ତ ଯତୀନ ପ୍ରଧାନ ପ୍ରଦୀପଙ୍କୁ ହତ୍ୟାକରି ନିକଟସ୍ଥ ବୁଦା ମୂଳେ ଫିଙ୍ଗି ଦେଇଥିଲା ।
ଆଜି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡ଼ି ପଞ୍ଚାୟତର ତଡ଼ବାଡ଼ି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ବୁଦା ମୂଳରୁ ପ୍ରଦୀପଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ ହୋଇଥିଲା । ଖବରପାଇ ସାରଙ୍ଗଡ଼ ପୋଲିସ ଏବଂ ଜି.ଉଦୟଗିରି SDPO ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ l ଏହି ହତ୍ୟାକାଣ୍ଡରେ କେତେଜଣ ସମ୍ପୃକ୍ତ ତାହା ତଦନ୍ତ ସରିଲା ପରେ ଜଣାପଡିବ ବୋଲି ସାରଙ୍ଗଡ଼ ପୋଲିସ କହିଛି l ସାରଙ୍ଗଡ଼ ପୋଲିସ କେଶ ନମ୍ବର 90/22 ଏକ ମାମଲା ରୁଜୁ କରିଛି । ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସାରଙ୍ଗଡ଼ ଥାନା ଅଧିକାରୀ ଶ୍ରୀମତୀ ମଧୁଲିକା ବିଶ୍ବାଳ ପ୍ରକାଶ କରିଛନ୍ତି l
ଇଟିଭି ଭାରତ, କନ୍ଧମାଳ