ଫୁଲବାଣୀ: ଜୋର ଧରିଲା କନ୍ଧମାଳ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଦାବି । ଏନେଇ ୟୁନାଇଟେଡ ନାଗରିକ ମଞ୍ଚକୁ ଜିଲ୍ଲାର ଶହେରୁ ଅଧିକ ସଂଗଠନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦାଖଲ କରିଛନ୍ତି । ସରକାରଙ୍କୁ ଏନେଇ 7 ଦିନର ମହଲତ ଦିଆଯାଇଛି । ସପ୍ତାହ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି ।
ସୂଚନାନୁଯାୟୀ, ସମସ୍ତ ଆବଶ୍ୟକତା ପୂରଣ କରୁଥିବା କନ୍ଧମାଳ ଜିଲ୍ଲା ମେଡିକାଲକୁ ସରକାରୀ ମେଡିକାଲ କଲେଜ ଘୋଷଣା ପାଇଁ ବାରମ୍ବାର ଦାବି ହୋଇଆସୁଛି । କିନ୍ତୁ ସରକାର ମିଛ ପ୍ରତିଶୃତି ଦେଇ ଆସୁଛନ୍ତି । ଏବେ ଜିଲ୍ଲାର ସମସ୍ତ ସଂଗଠନ ଏକଜୁଟ ହୋଇଛନ୍ତି ।
ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ସପ୍ତାହେ ପରେ ଆନ୍ଦୋଳନ ଜୋରଦାର କରାଯିବାର ଧମକ ଦେଇଛନ୍ତି । ଏପରିକି ଜିଲ୍ଲା ବନ୍ଦ ଡାକରା ମଧ୍ୟ ଦିଆଯିବ। ଏଥିପାଇଁ ଏବେଠୁ ପ୍ରଚାର ପତ୍ର, ରାଲି, ଧାରଣା ପ୍ରଭୃତି ଗଣତାନ୍ତ୍ରୀକ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ