କନ୍ଧମାଳ: ଏକ ବଡ ମାଓ କ୍ୟାମ୍ପକୁ ଧ୍ବଂସ କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛି କନ୍ଧମାଳ ପୋଲିସ । ଗତ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧରେ ଦୁଇ ଦୁଇ ଥର ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟ ପରେ ପୋଲିସ ବ୍ୟାପକ ସର୍ଚ୍ଚ ଅପରେସନ କରି ଏକ ବଡ ମାଓ କ୍ୟାମ୍ପକୁ ନଷ୍ଟ କରିବା ସହିତ ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଥିବା ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଏସପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ଗତ 18ତାରିଖ ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସୁମେରବନ୍ଧ ନିକଟବର୍ତ୍ତୀ ଅଡନସୁଗା ଠାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ପୋଲିସ 169 ରାଉଣ୍ଡ ଗୁଳି ଚଳାଇଥିଲା । ପରେ ସନ୍ଧ୍ୟାରେ ଗୋଛାପଡା ଓ ବୌଦ୍ଧ ଜିଲ୍ଲା ସୀମାରେ ଥିବା ଲଦାପଦର ଓଡ଼ାବାଲି ମଧ୍ୟରେ ଥିବା ସାଉଲପଡା ଠାରେ ପୁଣି ପୋଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ପୋଲିସ 82 ରାଉଣ୍ଡ ଗୁଳି ଚଳାଇଥିଲା। ତେବେ ଏଥିରେ ତିନି ଜଣ ଯବାନ ସାମାନ୍ୟ ଆହତ ହୋଇଥିଲେ ।
ତେବେ ଏହି ଗୁଳି ବିନିମୟ ପରେ ପୋଲିସ ବ୍ୟାପକ ସର୍ଚ୍ଚ ଅପରେସନ କରି ଏକ ବଡ ମାଓ କ୍ୟାମ୍ପକୁ ନଷ୍ଟ କରିବା ସହିତ ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଥିଲେ । ଏଥିସହ ଏକ 9 ଏମ୍ଏମ୍ ପିସ୍ତଲ ଓ ଜୀବନ୍ତ ଗୁଳି ସହ ଆଇଡି ବୋମା ଜବତ କରାଯାଇଛି। ତେବେ ଏହି ଅପରେସନ ସମୟରେ ଟପ ମାଓ କମାଣ୍ଡର ଦଶ୍ରୁ, ବଣ୍ଟି, ମମତା ଖସି ଯାଇଥିବା ଏସପି ସୂଚନା ଦେଇଛନ୍ତି ।
କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ