ଫୁଲବାଣୀ: କିଛି ଦିନର ନିରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଗତକାଲି(ବୁଧବାର) ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ, ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ଆଜି ପୁଣି କୋଟଗଡ଼ ଥାନା ଅଞ୍ଚଳରେ ବା.ଘୁ.ନା (ବାସଧାରା ଘୁମୁସର ନାଗାବଳୀ) ଡିଭିଜନ ପକ୍ଷରୁ ବ୍ୟାନର ପୋଷ୍ଟର ଜାରି ହୋଇଥିବା ଦେଖିବାକୁ ମିଳିଛି ।
ଦରଦାମ ବୃଦ୍ଧି ଓ ଦମନ ପ୍ରତିବାଦରେ ମଇ ୨୦ ତାରିଖରେ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ବ୍ୟାନର ପୋଷ୍ଟର ମାଧ୍ୟମରେ ଜନସାଧାରଣଙ୍କୁ ଆହ୍ବାନ ଦେଇଛି ମାଓ ସଙ୍ଗଠନ ।
ଅନ୍ୟପଟେ ଶ୍ରୀଲଙ୍କାରେ ଆନ୍ଦୋଳନରତ ଜନତାଙ୍କୁ ଦମନ କରିବା ପାଇଁ ସେନା ପଠାଇବା ଭାରତର ବିସ୍ତାର ବାଦ ମୋଦି ସରକାର ମୁର୍ଦ୍ଦାବାଦ୍, କରୋନା ମହାମାରୀ ଯୁଦ୍ଧ ଯୋଗୁଁ ସବୁ ଜିନିଷର ଦରଦାମ୍ ବୃଦ୍ଧି କରିଥିବା ମୋଦି ଓ ନବୀନ ସରକାର ମୁର୍ଦ୍ଦାବାଦ୍ ବୋଲି ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ସେପଟେ ଘଟଣା ପରେ ଜିଲ୍ଲାରେ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ