ଫୁଲବାଣୀ: କୋରୋନା ମହାମାରୀକୁ ନେଇ ଦେଶ ସମେତ ରାଜ୍ୟରେ ହାହାକାର ଚାଲିଥିବା ବେଳେ ସରକାର ଲୋକଙ୍କ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଇ ମାଗଣାରେ ସେବା ଯୋଗାଉଛନ୍ତି । ଯାହା ଖର୍ଚ୍ଚ ହେବ ତାହା ସରକାର କରିବେ ବୋଲି କହିଥିଲେ । ସେହି ଅନୁସାରେ ପଞ୍ଚାୟତଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରାଗଲା । କିନ୍ତୁ ଏହାର ସୁଯୋଗ ନେଲେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଏଭଳି ଘଟଣା କନ୍ଧମାଳ ଜିଲା ଖଜୁରୀପଡା ବ୍ଲକରେ ଦେଖିବାକୁ ମିଳିଛି । ବାସ୍ତବରେ କୋରୋନା ସମ୍ପର୍କିତ କିଟ୍ କିଣା ନ ଯାଇ ଖଜୁରୀପଡ଼ା ବିଡ଼ିଓ ରବୀନ୍ଦ୍ରନାଥ କହଁରଙ୍କ ବିରୋଧରେ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦୁର୍ନୀତି ହୋଇଥିବା ଡିଆରଡିଏ (District Rural Development Agency-DRDA) ତଦନ୍ତ ରିପୋର୍ଟରୁ ଜଣାପଡି଼ଛି ।
ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଦନ୍ତ ରିପୋର୍ଟରେ ସେ ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ଦେଖିବାକୁ ମିଳିଛି । ୨୦୨୧ ସେପ୍ଟେମ୍ବର ୧ ତାରିଖ ଚିଠି ନମ୍ବର ୪୦୦୭ରେ ଲକ୍ଷାଧିକ ଟଙ୍କାର ହେରଫେର ହୋଇଥିବା ସୂଚନା ରହିଛି । କୋରୋନା ବେଳେ ଲୋକଙ୍କ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଇ ସରକାର ପଞ୍ଚାୟତରେ TMC ଖୋଲିଥିଲେ । ଯେଉଁମାନେ ରାଜ୍ୟ ଏବଂ ରାଜ୍ୟ ବାହାରେ ରହି ଘରକୁ ଫେରିବେ, ସେମାନଙ୍କୁ ପ୍ରଥମେ ଏହି TMCରେ କ୍ବାରେଣ୍ଟାଇନରେ ରହିବାକୁ ହେବ ।
ତେଣୁ ରହିବା ପାଇଁ ଆନୁଷଙ୍ଗିକ ଜିନିଷ କିଣିବା ପାଇଁ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବିଡିଓମାନେ ଏହାର ତଦାରଖ କରୁଥିଲେ । ଖଜୁରୀପଡା ବ୍ଲକର ବିଭିନ୍ନ TMCରେ ମୋଟ ୬୪୭ ଜଣ ପ୍ରବାସୀ ଥିଲେ । ସେମାନଙ୍କ ଲାଗି SRCଙ୍କ ଗାଇଡଲାଇନ ଅନୁସାରେ ହାଇଜେନିକ କିଟ୍ ଜଣକ ପିଛା ୩୦୦ ଟଙ୍କା ମଧ୍ୟରେ କିଣାଯିବ । ୩୦୦ ଟଙ୍କା ହିସାବରେ ୬୪୭ ଜଣଙ୍କ ବାବଦରେ ୧ ଲକ୍ଷ ୯୪ ହଜାର ୧୦୦ ଟଙ୍କା ଖର୍ଚ୍ଚ ହେବା ପାଇଁ ନିର୍ଦ୍ଦେଶ ରହିଥିଲା ।
ମାତ୍ର ବିଡିଓ ଏହି ବାବଦରେ ୯ ଲକ୍ଷ ୬୭ ହଜାର ୧୩୧ ଟଙ୍କା ବିଲ ଦେଇ ୭ ଲକ୍ଷ ୭୩ ହଜାର ଟଙ୍କା ହଡ଼ପ କରିଥିବା ଚିଠିରୁ ସ୍ପଷ୍ଟ ଜଣାପଡୁଛି । କିଣା ଯାଇଥିବା କିଟ୍ ଗୁଡିକ ଅତ୍ୟନ୍ତ ନିମ୍ନମାନର ଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିବା ବେଳେ ଷ୍ଟକ ରେକର୍ଡ ଓ ରେଜିଷ୍ଟରରେ ତଥ୍ୟ ମଧ୍ୟ ନାହିଁ । ସରାକରଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚମାନେ ପ୍ରବାସୀମାନଙ୍କ ରହିବା ପାଇଁ ବେଡ୍ସିଟ, ତକିଆ, ବାଲ୍ଟି, ମଗ୍, ମ୍ୟାଟ୍ରେସ ଆଦି ଜିନିଷ କିଣିବେ ।
ଏହି ଟଙ୍କା SFC ଏବଂ CFC ଫଣ୍ଡରୁ ବ୍ୟୟ ହେବ । ମାତ୍ର ଖଜୁରୀପଡା ବିଡିଓ ୯୦ ପ୍ରତିଶତ ଜିନିଷ ନିଜେ କିଣିଥିବା ତଦନ୍ତରେ ସ୍ପଷ୍ଟ ହୋଇଛି । ହଷ୍ଟେଲ ଥିବା ସ୍କୁଲରେ TMC ଖୋଲାଯାଇଥିବା ବେଳେ TMCରେ ପଡି଼ଥିବା ବେଡ଼ ହଷ୍ଟେଲରୁ ଅଣାଯାଇଥିଲା । ମାତ୍ର ଅଳ୍ପ ବେଡ଼ କିଣି ବିଡିଓ ୧୩୩ ବେଡ଼ ବାବଦରେ ୫ ଲକ୍ଷ ୧୩ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ବିଲ କରି ଚଳୁ କରିଛନ୍ତି । ସେହିପରି ୬୪୭ ଜଣ ପ୍ରବାସୀ TMCରେ ରହିଥିବା ବେଳେ ବିଡିଓ ୯୬୨ଟି ମ୍ୟାଟ୍ରେସ କିଣା ଯାଇଥିବା ଦର୍ଶାଇ ୯ ଲକ୍ଷ ୧୯ ହଜାର ଟଙ୍କା ଚଳୁ କରିଥିବା ରିପୋର୍ଟରେ ଖୁଲାସା ହୋଇଛି ।
ତଦନ୍ତ ବେଳେ ଏସବୁ ସାମଗ୍ରୀ ମହଜୁଦ ନଥିବାରୁ ବାସ୍ତବରେ ଏସବୁ ସାମଗ୍ରୀ କିଣା ହୋଇଛି କି ନାହି ତାହା ସନ୍ଦେହ ସୃଷ୍ଟି କରୁଛି । ସେପଟେ TMCରେ ଜେନେରେଟର ଭଡା ଆଣିବାକୁ SRCଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ବିଡିଓ ସୁଦୂର ଯାଜପୁରରୁ ୧୪ଟି ଜେନେରେଟର ୧୪ ଲକ୍ଷ ୪୦ ହଜାର ଟଙ୍କାରେ କିଣିଛନ୍ତି । ଯାହାକୁ ନେଇ ବିଡିଓଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।
ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ ବିଡିଓ TMCର ଆନୁଷଙ୍ଗିକ ସାମଗ୍ରୀ କିଣା ବାବଦରେ ୩୦ ଲକ୍ଷ ୧୬ ହଜାର ୮୬୨ ଟଙ୍କା ଆତ୍ମସାତ କରିଥିବା ଦର୍ଶଯାଇଛି । ହେଲେ ସିଭିଲ କନଷ୍ଟ୍ରକସନ ବାବଦରେ ୧ କୋଟି ୭ ଲକ୍ଷ ୨୮ ହଜାର ୧୨୬ ଟଙ୍କା ଖର୍ଚ୍ଚ କରିଥିବା ବିଡିଓ ବିଲ କରି ଟଙ୍କା ଉଠେଇ ଥିବାବେଳେ ଏହି ସମ୍ପର୍କିତ ଖର୍ଚ୍ଚର ହିସାବ ଦେଇପାରି ନାହାଁନ୍ତି । ସ୍ବଳ୍ପ ସମୟ ମଧ୍ୟରେ ଏହି ଖର୍ଚ୍ଚର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ବିଡିଓ ତଦନ୍ତରେ କୁହାଯାଇଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ