ଫୁଲବାଣୀ: କନ୍ଧମାଳରେ ୫ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ । ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଶୁକ୍ରବାର ଦିନ ୨୦୨୦ରେ ଘଟିଥିବା ଏହି ଦୁଷ୍କର୍ମ ମାମଲାର ବିଚାର କରି ୬୭ ବର୍ଷୀୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ବ୍ୟକ୍ତି ହେଉଛି ଅନଙ୍ଗ ନାୟକ । ଜେଲ୍ ଦଣ୍ଡ ସହ ତାକୁ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ଏହାସହିତ କ୍ଷତି ପୂରଣ ବାବଦକୁ ପୀଡିତାଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ପୀଡିତାଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜଙ୍କ ଦ୍ବାରା ପରିଚାଳିତ ଏହି ମାମଲାର ବିଚାରଣା ୧୫ ଜଣ ସାକ୍ଷୀ, ପୀଡିତାଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ କରାଯାଇଥିବା ଜଣାପଡିଛି । ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ୨୨ରେ ଏହି ଦୁଷ୍କର୍ମ ଘଟଣା ପ୍ରକାଶ ପାଇଥିଲା ।
ଏହାମଧ୍ୟ ପଢନ୍ତୁ: ବିଜେଡିକୁ ଯିବେ ଜର୍ଜ ତିର୍କୀ, କଂଗ୍ରେସକୁ କଲେ କଡ଼ା ସମାଲୋଚନା
ସୂଚନା ଅନୁସାରେ, ୫ ବର୍ଷୀୟା ଶିଶୁକନ୍ୟା ସନ୍ଧ୍ୟା ପ୍ରାୟ ୫ଟା ସମୟରେ ନିଜର ଘର ଦାଣ୍ଡରେ ଖେଳକୁଦ କରୁଥିବା ବେଳେ ପଡୋଶୀ ଅନଙ୍ଗ ନାୟକ ତାଙ୍କୁ ଜୋର ଜବରଦସ୍ତି ଘର ଭିତରକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ପୀଡିତା ଶିଶୁକନ୍ୟା ଘରକୁ ଆସି ତା'ର ମାଆକୁ ସବୁ କଥା କହିଥିଲା । ଏହାପରେ ଶିଶୁର ମାଆ ଘଟଣା ସମ୍ପର୍କରେ ଅଭିଯୁକ୍ତକୁ ପଚାରିଥିଲେ । ମାତ୍ର ସନ୍ତୋଷ ଦୁଷ୍କର୍ମ କରିଥିବା କଥା ମାନିନଥିଲା । ଏନେଇ ମହିଳା ସେହିଦିନ ଘୁ.ଉଦୟଗିରି ଥାନାରେ ପହଞ୍ଚି ଏକ ଅଭିଯୋଗ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ଜୟନାରାୟଣ ମିଶ୍ରଙ୍କ ଜୀବନ ପ୍ରତି ବିପଦ, ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ
ଘୁ.ଉଦୟଗିରି ଥାନା ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ମାମଲା ନଂ ୭୮/୨୦୨୦ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି(ଶୁକ୍ରବାର) ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସେହି ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, କନ୍ଧମାଳ