କନ୍ଧମାଳ: ଫୁଲବାଣୀ କରୋନେସନ ପଡ଼ିଆରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ବୃନ୍ଦା ଡି ମା ନାରାୟଣୀ ମନ୍ଦିର ଠାରେ ମଶାଲ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ। ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ଅନେକ ପାରମ୍ପରିକ ଲୋକନୃତ୍ୟ ଦଳ ସାମିଲ ହୋଇ ସହର ପରିକ୍ରମା କରିବା ପରେ ମେଳା ମଞ୍ଚରେ ପହଞ୍ଚିଥିଲେ।
ଏଥିରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ମେଳାକୁ ଉଦ୍ଘାଟନ କରିଥିଲେ। ଉତ୍ସବରେ ଧାବିକା ଦୂତି ଚାନ୍ଦ, ଓଲିଉଡ ତାରକା ଅର୍ଚିତା ଓ ସବ୍ୟସାଚୀ ଯୋଗ ଦେଇଥିଲେ।
କୁଇ ଆଦିବାସୀ ଲୋକନୃତ୍ୟରୁ ଆରମ୍ଭ ହୋଇଥିଲା ଏଠାକାର ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡିଶା ସମେତ ମହାରାଷ୍ଟ୍ର ଓ ଅନେକ ଅଞ୍ଚଳର ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷଣ କରିଥିଲେ।
ଯାହାକୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଏଠାରେ ଉପସ୍ଥିତ ଥିଲେ । ଏପଟେ ପଡ଼ିଆରେ 140ରୁ ଅଧିକ ଷ୍ଟଲ ଲାଗିଥିବା ବେଳେ ଜିଲ୍ଲା ଓ ରାଜ୍ୟର ଅନେକ ଅଞ୍ଚଳରୁ ଆସି ଶିଳ୍ପୀ ନିଜ ନିଜ ଦ୍ରବ୍ୟର ବିପଣି ଖୋଲିଛନ୍ତି।
ଆସନ୍ତା ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାରେ ପ୍ରତିଦିନ ରାଜ୍ୟର ଏକାଧିକ ମନ୍ତ୍ରୀ ଓ ଲୋକପ୍ରିୟ କଳାକାର ଏହି ଉତ୍ସବରେ ଯୋଗଦେବେ।
କନ୍ଧମାଳରୁ ସଦାଶିବ ପାତ୍ର, ଈଟିଭି ଭାରତ