ଭୁବନେଶ୍ବର: ମହଙ୍ଗା ପଡିଲା ଦମ୍ପତିକୁ ପୋଲିସ ଓ କେନ୍ଦ୍ରୀୟ ପୋଲିସର ମାଡ ଘଟଣା । କନ୍ଧମାଳ ଦମ୍ପତିକୁ ପୋଲିସର ଅତ୍ୟାଚାର ଘଟଣାରେ ମାନବଧିକାର କମିଶନ କନ୍ଧମାଳ ଏସପି ଓ ଏମକେସିଜି ମେଡିକାଲ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ନିର୍ଯ୍ୟାତିତ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ସହ ଆସନ୍ତା 18 ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଗତ ୨୬ ଅକ୍ଟୋବର ଦିନ ପ୍ରାୟ 25 ଜଣ ସିଆରପିଏଫ ଓ ପୋଲିସ ମିଶି ଅମିତ ବଡସେଠଙ୍କ ଘରେ ଜୋରଜବରଦସ୍ତି ପଶିଥିଲେ । ଅମିତଙ୍କୁ ଲାଠି ମାଡ଼ ମାରିବା ସହ ସ୍ତ୍ରୀ କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ଅମିତଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି ।
ଏହି ଘଟଣା ନେଇ ଶୁକ୍ରବାର ମାନବଧିକାର କମିଶନଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ ଭୁବନେଶ୍ବରର ବିଶ୍ବ ପ୍ରିୟ କାନୁନଗୋ ଓ ନରେନ୍ଦ୍ର ମହାନ୍ତି । ତେବେ ଦରଖାସ୍ତ ପରେ ମାନବଧିକାର କମିଶନ କାର୍ଯ୍ୟାନୁଷ୍ଠାନ ମେଡିକାଲ ଓ ଏସପିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଉଭୟଙ୍କୁ ନୋଟିସ୍ ପଠାଇଛନ୍ତି । ଏଥିସହ ଏମକେସିଜିକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ ଓ କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ