ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଦୁର୍ଗମ ଗାଁ ଜୟଲାମ୍ବାର ଝିଅ ସୁପ୍ରଭା ବେହେରା(Kandhamal girl to join special event in Delhi ) । ସମାଜରୁ ବାଲ୍ୟବିବାହ ଦୂରୀଭୂତ ଓ କିଶୋରୀ ଅଧିକାର ପାଇଁ ଲଢେଇ କରିବା ଦ୍ବାରା ତାଙ୍କୁ ଆଜି ମିଳିଛି ଏକ ସ୍ବତନ୍ତ୍ର ପରିଚୟ । ଦିଲ୍ଲୀର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ସାମିଲ ହେବେ ବୋଲି ଜଣାପଡ଼ିଛି ।
ନିଜର ଦୃଢ ମନୋବଳ ଓ ଅଦମ୍ୟ ଇଚ୍ଛା ଶକ୍ତି ବଳରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେ । ବାଲ୍ୟବିବାହ ନିରୋଧ ଏବଂ କିଶୋରୀ ଅଧିକାର ପାଇଁ ସଚେତନତା ସୃଷ୍ଟି କରି ଏହି ଗ୍ରାମାଞ୍ଚଳ କିଶୋରୀ ଜଣକ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣ କ୍ରମେ ବିଶ୍ବ ଶିଶୁ କନ୍ୟା ଦିବସରେ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗସ୍ତ କରିଛନ୍ତି ସୁପ୍ରଭା ।
ଏହା ବି ପଢନ୍ତୁ- ସପ୍ତମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା, ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି
ସେଠାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ବି ଯୋଗଦେବେ ସୁପ୍ରଭା । ଗାଉଁଲି ପରିବେଶ ମଧ୍ୟରେ ବାଲ୍ୟକାଳ କାଟିଥିବା ସୁପ୍ରଭା ଅନ୍ୟମାନଙ୍କ ଭଳି ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ତେବେ ସମାଜର ପରମ୍ପରା ଅନୁଯାୟୀ ପରିବାର ଲୋକେ କମ ବୟସରୁ ତାଙ୍କର ବିବାହ ସ୍ଥିର କରିଥିଲେ। କିନ୍ତୁ ଆଗକୁ କିଛି କରିବାର ସଂକଳ୍ପ ରଖିଥିବା ସୁପ୍ରଭା ଏହାର ବିରୋଧ କରିଥିଲେ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ସୁପ୍ରଭାଙ୍କ ଜୀବନର ନୂତନ ଅଧ୍ୟାୟ।
ବେସରକାରୀ ଅନୁଷ୍ଠାନର ପ୍ରେରଣା ଓ ସହଯୋଗରେ ବାଲ୍ୟ ବିବାହ ଓ କିଶୋରୀ ଅଧିକାର ଉପରେ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସୁପ୍ରଭା । ଆଜି ଜାତୀୟ ସ୍ତରର ସମାରୋହରେ ସାମିଲ ହେବା ପାଇଁ ପିତା ଉଦୟ ବେହେରାଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି ସୁପ୍ରଭା । ଝିଅର ଏହି କୃତିତ୍ବରେ ପରିବାର ସମେତ ଗ୍ରାମବାସୀ ଅତି ଆନନ୍ଦିତ । ଏପଟେ ମା' ସୁକୃତାଙ୍କ ସହ ଆଉ ତିନି ଭାଇ ଭଉଣୀ ଘରେ ଅଛନ୍ତି ।
ସୁପ୍ରଭାଙ୍କ ବାପା ଉଦୟ ଜଣେ ଦିନ ମଜୁରିଆ । ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେବାର ସାମର୍ଥ୍ୟ ନାହିଁ। ବଡ଼ ଝିଅ ଉତ୍ପଳା ବିଭୂଷିତା ଯୁକ୍ତ ଦୁଇ ପାସ କରି ଘରେ ଅଛନ୍ତି । ଆଗକୁ ପାଠ ପଢିବାର ଇଚ୍ଛା ଥିଲେ ବିସାମର୍ଥ୍ୟ ନାହିଁ । ସାନ ଭଉଣୀ ଶୁଚିସ୍ମିତା ଅଷ୍ଟମରେ ଓ ସାନ ଭାଇ ରାଜଶେଖର ପଞ୍ଚମରେ ପଢୁଛନ୍ତି । ଗରିବ ହେଲେ ବି ପିଲାମାନଙ୍କୁ ପାଠ ପଢା ଶିକ୍ଷିତ ଓ ବଡ଼ ମଣିଷ କରିବାର ଇଚ୍ଛା ରଖିଛନ୍ତି ବାପାମା' । ତେବେ ଅର୍ଥ ପ୍ରତିବନ୍ଧକ । ତେଣୁ ସରକାର ଏ ଦିଗରେ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ସୁପ୍ରଭାଙ୍କ ମା' ସୁକୃତା ।
ଇଟିଭି ଭାରତ, କନ୍ଧମାଳ