ଫୁଲବାଣୀ: ପୌରପରିଷଦ ସାଧାରଣ ନିର୍ବାଚନ-୨୦୨୨ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚତୁର୍ଥ ଦିନରେ ମାତ୍ର ଦୁଇଟି ମନୋନୟନ ପତ୍ର ଦାଖଲ ହୋଇଛି । ଆଜି ପର୍ଯ୍ୟନ୍ତ ୨୪ ଟି ପ୍ରାର୍ଥୀପତ୍ର ବିକ୍ରି ହୋଇଥିବାବେଳେ ସେଥି ମଧ୍ୟରୁ ତିନୋଟି ଅଧ୍ୟକ୍ଷ ପଦ ପାଇଁ ଫର୍ମ କିଣିଛନ୍ତି । ଏଥିମଧ୍ୟରୁ ଜଣେ ପ୍ରାର୍ଥିନୀ ୧୨ ନମ୍ବର ୱାର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ଆମ୍ ଆଦମୀ ପାର୍ଟି ପକ୍ଷରୁ ଜଣେ ଅଧ୍ୟକ୍ଷା ପଦପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଫୁଲବାଣି ପୌର ପରିଷଦ ନିର୍ବାଚନ ପାଇଁ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ରହିଛନ୍ତି ।
ସେହିପରି ବାଲିଗୁଡା ଏନଏସି ପାଇଁ ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର ନିର୍ବାଚନ ଦାୟିତ୍ୱରେ ଥିବାବେଳେ ଘୁ.ଉଦୟଗିରି ଏନଏସି ପାଇଁ ତହସିଲଦାର ଶ୍ରୁଭାଞ୍ଜଳି ପ୍ରଧାନ ନିର୍ବାଚନ ଦାୟିତ୍ୱରେ ଅଛନ୍ତି । ଏଣୁ ୨ ତାରିଖ ଠାରୁ ମନୋନୟନ ପତ୍ର ଦାଖଲ ରହିଥିବାବେଳେ ୭ ତାରିଖରେ ଶେଷ ଦିନ ରହିଛି । ତେବେ ଦଳ ମାନଙ୍କ ପକ୍ଷରୁ ପ୍ରାର୍ଥି ଚୟନ ହୋଇ ନ ଥିବାରୁ କେହି ବି ହେଲେ ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି ।
ମନୋନୟନ କାର୍ଯ୍ୟକୁ ସହଜ ଓ ସରଳ କରବା ପାଇଁ ମନୋନୟନ ଫର୍ମ ସହତି ଏକ ଚିଠି ତାଲିକା ପ୍ରଦାନ କରାଯାଉଛି, ଯାହା ଫଳର କି ପ୍ରାର୍ଥୀମାନେ ଫର୍ମ ପରୂଣ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଫର୍ମ ବିକ୍ରୟ ଓ ଦାଖଲର ସମୟ ଥିବାବେଳେ ମନୋନୟନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ସ୍ଥାନୀୟ ପୋଲିସଙ୍କୁ ନିୟୋଜିତ କରାଯାଇଛି।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ