ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚାଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମସି)ରେ ହେଉଛି ବ୍ୟାପକ ଅବ୍ୟବସ୍ଥା। ସେଥିପାଇଁ ଗୋଟିଏ ପରେ ଗୋଟିଏ ଅଘଟଣ ହେଉଛି । ଜଣେ କୁଟିଆ କନ୍ଧ ସମ୍ପ୍ରଦାୟକ ପ୍ରବାସୀ ଯୁବକ ବାଲିଗୁଡା ବଡଗାଁ ଟିଏମସିରେ ଆତ୍ମହତ୍ୟା କରିବା ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି ଜିଲ୍ଲା ବିଜେପି ।
କୋଭିଡ଼-19କୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲ୍ଲାରେ 6 ଗୋଟି ଆସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଛି । ବାଲିଗୁଡା କୋଭିଡ଼ କେୟାର ହସ୍ପିଟାଲରେ ଜଣେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଏହାକୁ ଆତ୍ମହତ୍ୟା କହୁଥିବାବେଳେ କନ୍ଧମାଳରେ ଗରିବ ନିରୀହ କୁଟିଆ କନ୍ଧଙ୍କୁ ପ୍ରଶାସନ ନିର୍ଯାତନା ଦେଉଛି ବୋଲି ଅଭିଯୋଗ କରିଛନ୍ତି ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା ପ୍ରମୁଖ ନେତା ନେତ୍ରମାନ ସେଠ ।
ଏହି ପରିସ୍ଥିତିରେ ଉତ୍ତେଜନା ଆଶଙ୍କା କରି ନେତ୍ରମାନ ସେଠଙ୍କୁ ପୋଲିସ ଅଟକ ରଖିଥିଲା । ଯେଉଁ ଘଟଣାକୁ ଆମେ ଦୃଢ ବିରୋଧ କରୁଛୁ ବୋଲି ଜିଲ୍ଲା ବିଜେପି କହିଛି । ଏହି ମୃତ୍ୟୁ ପଛର ତଦନ୍ତ କରିବା ସହ କ୍ଷତିପୂରଣ ବାବଦକୁ 25 ଲକ୍ଷ ଟଙ୍କା ଦାବି କରିଛି ଜିଲ୍ଲା ବିଜେପି।
ପୋଲିସ ମାଜିଷ୍ଟ୍ରେଟ ଓ ପରିବାର ଲୋକଙ୍କ ସହମତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାରଲୋକେ l ଏହି ଘଟଣାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ