ଫୁଲବାଣୀ: ଧର୍ମାନ୍ତରିତ ଜନଜାତିଙ୍କୁ ଅନୁସୂଚୀତ ଜନଜାତି ତାଲିକାରୁ ବାଦ୍ ଦେବାକୁ ଦାବି ହେଉଛି । ସେମାନଙ୍କୁ ସମ୍ବିଧାନରେ ଦିଆଯାଉଥିବା ସଂରକ୍ଷଣ ପ୍ରତ୍ୟାହାର କରିବାକୁ ଦାବି କରିଛି ଜନଜାତି ସୁରକ୍ଷା ମଞ୍ଚ । ଏନେଇ ଆସନ୍ତା ୨୫ ତାରିଖରେ ଭୁବନେଶ୍ବରରେ ଏକ ବିଶାଳ ଜନଜାତି ସମାବେଶ ପାଇଁ ଡାକରା ଦିଆଯାଇଛି । ହେଲେ ଜନଜାତି ସୁରକ୍ଷା ମଞ୍ଚର ଏଭଳି ଆଭିମୁଖ୍ୟକୁ କଡା ବିରୋଧ କରିଛି ଓଡି଼ଶା ଆଦିବାସୀ ସମନ୍ୱୟ ସମିତି । ଆଦିବାସୀମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଏହା ଏକ ଅପଚେଷ୍ଟା ବୋଲି କହିଛନ୍ତି ଆଦିବାସୀ ନେତା ତଥା ସମିତିର କନ୍ଧମାଳ ଜିଲ୍ଲା ଆବାହକ ଲମ୍ବୋଦର କହଁର ।
ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଲମ୍ବୋଦର କହିଛନ୍ତି ଯେ, ଧର୍ମାନ୍ତରିତ ଜନଜାତିଙ୍କୁ ସଂରକ୍ଷଣ ସୁବିଧାରୁ ବାଦ୍ ଦେବାର ଅପଚେଷ୍ଟା ପଛରେ ବିଜେପି ଓ ଆରଏସଏସର ହାତ ଅଛି । ଆଦିବାସୀମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି ବିଜେପି ରାଜନୈତିକ ଫାଇଦା ହାସଲ ପାଇଁ ଷଡଯନ୍ତ୍ର କରୁଛି । ସମ୍ବିଧାନର ଧାରା ୩୪୨ ଅନୁସାରେ ଆଦିବାସୀମାନେ ଯେକୌଣସି ଧର୍ମ ଗ୍ରହଣ କଲେ ମଧ୍ୟ ତାଙ୍କର ଆଦିବାସୀ ମାନ୍ୟତା ଓ ସାମ୍ବିଧାନିକ ଅଧିକାର ବଜାୟ ରହିବ । ତେଣୁ ଧର୍ମାନ୍ତରିତ ଆଦିବାସୀଙ୍କ ସଂରକ୍ଷଣ ସୁବିଧା ପ୍ରତ୍ୟାହାରକୁ ଅବାନ୍ତର ଏବଂ ଅସମ୍ବିଧାନିକ ବୋଲି ଓଡି଼ଶା ଆଦିବାସୀ ସମନ୍ବୟ ସମିତି ଆବାହକ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ: Power Tariffs Unchanged: ଅପରିବର୍ତ୍ତିତ ରହିବ ବିଜୁଳି ଦର, ଶୀତଳ ଭଣ୍ଡାର ପାଇଁ ମିଳିବ ରିହାତି
ଅପରପକ୍ଷରେ ଏଭଳି ଦାବି ଉଠାଇ ଥିବା ଜନଜାତି ସୁରକ୍ଷା ମଞ୍ଚର କର୍ମକର୍ତ୍ତାମାନେ ବିଜେପି ଦ୍ବାରା ପରିଚାଳିତ ବୋଲି ଲମ୍ବୋଦର କହଁରଙ୍କ ସମେତ ଅନେକ ଆଦିବାସୀ ନେତା ଅଭିଯୋଗ କରିଛନ୍ତି । ଆଦିବାସୀମାନଙ୍କୁ ଭାଗ ଭାଗ କରି ସେମାନଙ୍କୁ ଦୁର୍ବଳ କରିବା ଏବଂ ସେମାନଙ୍କ ଠାରୁ ସମସ୍ତ ଅଧିକାର ଛଡାଇ ନେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏହା ଅଂଶବିଶେଷ । ଏଭଳି ହୀନ ଉଦ୍ୟମ ପ୍ରତି ସତର୍କ ରହିବା ଏବଂ ନିଜ ନିଜ ଭିତରେ ସୁସମ୍ପର୍କ ବଜାୟ ରଖିବା ପାଇଁ ରାଜ୍ୟର ଆଦିବାସୀଙ୍କୁ ଆହ୍ବାନ ଦେଇଛନ୍ତି ଆଦିବାସୀ ନେତା । ଏହି ସାମ୍ବାଦିକ ସମ୍ମିଳନୀରେ ନିଖିଳ ଉତ୍କଳ କୁଇ ସମାଜ ସଭାପତି ପୁଷାରା କହଁର, ପୂର୍ବତନ ସଭାପତି ଭାସ୍କର ପ୍ରଧାନ, ଆଦିବାସୀ ନେତା ପ୍ରଦୀପ କହଁର, ମୁକୁନ୍ଦ କହଁର, ଦୟାନିଧି ମଲିକ, ଦୀନବନ୍ଧୁ କହଁର, ଲକ୍ଷ୍ମଣ ପ୍ରଧାନଙ୍କ ସମେତ ଅନେକ ଆଦିବାସୀ ନେତା ଉପସ୍ଥିତ ଥିଲେ ।
ଇଟିଭି ଭାରତ, କନ୍ଧମାଳ