ଫୁଲବାଣୀ: ଲାଲ ଗଡ଼ରେ CRPF ଯବାନଙ୍କ ଜନସମ୍ପର୍କ ଶିବିର । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ବାଲନ୍ଦା ପଡ଼ା ଠାରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ବିଶ୍ବାସ ଭାଜନ ହେବା ସହ ଅଞ୍ଚଳବାସୀଙ୍କ ନିକଟତର ହେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ମାଓପ୍ରବଣ ଅଞ୍ଚଳରେ ଅଞ୍ଚଳବାସୀ ଗୋଟିଏ ପଟେ ମାଓ ଭୟ ଓ ଅନ୍ୟପଟେ ପୋଲିସ ଭୟରେ ଜୀବନ କାଳାତିପାତ କରୁଛନ୍ତି । ଏଣୁ ପୋଲିସକୁ ଭୟ ନକରି ସର୍ବଦା ସହଯୋଗ କରିବା ପାଇଁ ଏବଂ ନିଜେ ସୁରକ୍ଷିତ ରହିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଆରପିଏଫ୍ ପକ୍ଷରୁ ଆହ୍ବାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବାଲନ୍ଦା ପଡ଼ା, ଲୁଇସିଂ, କୁଇରୀମାଣ୍ଡୁ ପଞ୍ଚାୟତ ଅଞ୍ଚଳର ଅଭାବୀ ଏବଂ ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡିଓ ସେଟ୍ ଏବଂ ୱାଟର ଷ୍ଟୋରେଜ୍ ଟ୍ୟାଙ୍କ ବଣ୍ଟନ କରାଯାଇଛି । ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ଗୃହ ମନ୍ତ୍ରଣାଳୟର ତତ୍ତ୍ବାବଧାନରେ ଏହି ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ସିଆରପିଏଫ୍ ପକ୍ଷରୁ ଆୟୋଜିତ ହୋଇଥିଲା ।
ଆନନ୍ଦ ଝା କମାଣ୍ଡାଣ୍ଟ ୧୨୭ ବିଏନ୍, ଆର.ଏଲ୍ ଫିମେଟ୍ ୨୧ / ସି ଏବଂ ଉଜଚର୧୨୭ ଇଭର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଜନସାଧାରଣଙ୍କୁ ଆବଶ୍ୟକୀୟ ଜିନିଷ ବଣ୍ଟନ କରାଯାଇଛି । ଏହି ଅବସରରେ ବାଲନ୍ଦା ପଡ଼ା ସରପଞ୍ଚ ନିରାକାର ନାୟକ ଯୋଗ ଦେଇଥିଲେ । ଏଥିସହ ଲୁଇସିଂ ସରପଞ୍ଚ ସୁଦର୍ଶନ କଂହର, ଏସଏମଟି ରଞ୍ଜୁଲତା ମଲ୍ଲିକ, ଗୋଛପଡା ଫାଣ୍ଡି ଅଧିକାରୀ ଏବଂ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ସମୁଦାୟ ୧୮୩ ପରିବାର ଉପକୃତ ହୋଇଛନ୍ତି । ଆଗାମୀ ଦିନରେ ଅନ୍ୟ ଗ୍ରାମରେ ମଧ୍ୟ ଏଭଳି କାର୍ଯ୍ୟକଳାପ କରାଯିବ ବୋଲି କମାଣ୍ଡାଣ୍ଟ୍ ଆନନ୍ଦ ଝା ଘୋଷଣା କରିଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ