ଫୁଲବାଣୀ: କନ୍ଧମାଳରେ ହାଡଭଙ୍ଗା ଜାଡ । ସକାଳୁ ସକାଳୁ ଥଣ୍ତା ପବନ ସହ ଘାସ ଉପରେ କୁହୁଡିର ଆସ୍ତରଣ ବେଶ ମନଲୋଭା । ତା ସାଙ୍ଗକୁ ରଙ୍ଗ ବେରଙ୍ଗର ଶୀତ ଦିନିଆ ଫୁଲର ମହକ ପ୍ରକୃତି ପ୍ରେମୀଙ୍କୁ ଆନମନା କରୁଛି । କବି ଭାବୁକଙ୍କ ଲେଖନୀ ମୁନରୁ ଝରି ଆସୁଛି କେତେ କଣ କବିତା । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁହାଯାଉଥିବା କନ୍ଧମାଳରେ ଶୀତର ମଜା ଟିକେ ନିଆରା । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିରେ ଶୀତର ମଜା ନେବାକୁ ଏଠାରେ ପର୍ଯ୍ୟଟକଙ୍କ ଗହଳି ବଢିଥାଏ । କାହିଁକିନା ଶୀତ ବଢିଲେ ଏଠାରେ ପାରଦ ଖସେ । ଆଉ ବରଫ ଚାଦର ଘୋଡାଇ ହୋଇ ଚିକମିକ କରୁଥିବା ଘାସ ଗାଲିଚାକୁ ଉପଭୋଗ କରିବାକୁ କିଏ ବା ନ ଚାହେଁ ।
ଜିଲ୍ଲାର ଧାନବିଲ, ଗାଡି ମୋଟର ଗୁଡିକ ଉପରେ ସକାଳୁ ସକାଳୁ ବରଫ ଆସ୍ତରଣ ଜମିଥିବା ଦେଖିବାକୁ ମିଳିଛି । ଜାଡ ବଢିବା ସଙ୍ଗେ ସଙ୍ଗେ କୁହୁଡି ଆସ୍ତରଣ ମଧ୍ୟ ଅଧିକ ସମୟ ରହୁଛି । ଶୀତର ପ୍ରକୋପ ଅଧିକ ଥିବାରୁ ସୂର୍ଯ୍ୟଙ୍କ ଆଗମନ ବିଳମ୍ବ ହେଉଛି । ଏ ଶୀତରେ ଟିକେ ନିଜକୁ ଫିଟ ରଖିବା ପାଇଁ କିଏ ପ୍ରାତଃ ଭ୍ରମଣ କରୁଛି ତ ଆଉ କିଏ ବ୍ୟାୟାମରେ ଲାଗିଛି । ତ ପୁଣି କିଏ ନିଆଁ ପୁଆଁଉଛି ତ ଆଉ କିଏ ଚା ଦୋକାନରେ ଗରମାଗରମ ଚା’ର ମଜା ନେଉଛି । ସକାଳ 9ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।
ଗତ କିଛିଦିନ ହେଲା ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହା ଶୀର୍ଷରେ ରହିଛି । ଜିଲ୍ଲାରେ ତାପମାତ୍ରା ଦୁଇ ଅଙ୍କ ତଳକୁ ଖସି ଦାରିଙ୍ଗବାଡି ୩.୫ ଡିଗ୍ରୀ ଓ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲସିୟସରେ ପହଞ୍ଚି ଥିଲା। ଆଜି (ଶୁକ୍ରବାର) ଫୁଲବାଣୀର ତାପମାତ୍ରା୬. ୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା ୭.୫ ଡିଗ୍ରୀ ରହିଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୀତ ସାମାନ୍ୟ କମିଥିଲେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ