ଫୁଲବାଣୀ: କନ୍ଧମାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଖାରବେଳ ସ୍ବାଇଁଙ୍କ ନାଁରେ ଅଭିଯୋଗ ଆଣିଲା ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ । ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଏହି ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧରେ ଟିପ୍ପଣୀ ଦେଇଥିବା ନେଇ କଥା ଉଠିଛି ।
ସଂଗଠନର ସାଧାରଣ ସଂପାଦକ ସୁରଞ୍ଜନ ନାଏକ ଏନେଇ ଜିଲ୍ଲାପାଳ ତଥା କନ୍ଧମାଳ ଜିଲ୍ଲା ନିର୍ବାଚନ ଅଧିକାରୀ ଡା. ବୃନ୍ଦା ଡିଙ୍କ ନିକଟରେ ଫେରାଦ ହୋଇଛନ୍ତି । ତାଙ୍କ ଅଭିଯୋଗ ମୁତାବକ ‘ଖାରବେଳ ଏକ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ ମିଡିଆକୁ ସାକ୍ଷାତକାର ଦେବା ଅବସରରେ ଖ୍ରୀଷ୍ଟିଆନଙ୍କ ପ୍ରତି ଆକ୍ଷେପ କରିଛନ୍ତି । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଖ୍ରୀଷ୍ଟିଆନ ମାନେ ନକ୍ସଲଙ୍କୁ ସୁପାରି ଦେଇ କରାଇଛନ୍ତି’ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଏନେଇ ସେ ସ୍ଥାନୀୟ ପ୍ରେସକ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ମଧ୍ୟ କରିଛନ୍ତି ।
ତେବେ ଏନେଇ ଖାରବେଳ କହିଛନ୍ତି ଯେ,‘ମୁଁ ଏପରି କିଛି ଆକ୍ଷେପ କରିନାହିଁ । କେବଳ ଏତିକି କହିଥିଲି ଯେ ମୁଁ କନ୍ଧମାଳରେ ଦଙ୍ଗା କରାଇ ଦେବିନାହିଁ । ଯେଉଁ ଲୋକ ଅଭିଯୋଗ କରିଛନ୍ତି ସେ ବିଜେଡି ନେତା ଅଟନ୍ତି । ତେଣୁ ସେମାନେ ଏହାକୁ ନେଇ ରାଜନୀତି କରୁଛନ୍ତି ’।
ଏପଟେ ଜିଲ୍ଲାପାଳ ଏହି ଅଭିଯୋଗ ପାଇବା ପରେ ସଂପୃକ୍ତ ଗଣମାଧ୍ୟମକୁ ସମସ୍ତ ଅଡିଓ, ଭିଜୁଆଲ ଓ ଏଡିଟ୍ କରାଯାଇନଥିବା ବାଇଟ୍ ଦାଖଲ କରିବାକୁ ନୋଟିସ୍ କରିଛନ୍ତି । ତେବେ ସଂପୃକ୍ତ ସଂସ୍ଥା ଏ ସମ୍ପର୍କିତ ନଥିପତ୍ର ଦାଖଲ କରିନାହିଁ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ