ଫୁଲବାଣୀ: ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲା ଶିକାରୀ । ହେଲେ ତାର ସଂସ୍ପର୍ଶରେ ଆସିଯାଇଥିଲା ହାତୀ । ଫଳରେ ହାତୀଟିର ମୃତ୍ୟୁ ଘଟିଥିଲା । କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜରେ ଗତ ସପ୍ତାହରେ ଏକ ହାତୀର ମୃତଦେହ ଠାବ ହେବାପରେ ଜଣାପଡ଼ିଛି ଏହାର ମୃତ୍ୟୁର ରହସ୍ୟ । ଏହି ଘଟଣାରେ ବନବିଭାଗ ୨ଜଣଙ୍କୁ ଗିରଫ କରିଛି । ତେବେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଗିରଫ ଦୁଇ ଜଣ ହେଲେ ସୋରଡାର ବୁଲୁ ମଲିକ ଓ ଡେଙ୍ଗାଖମଣ ଗ୍ରାମର ଗଙ୍ଗାଧର ବିଶୋଇ ।
ବନବିଭାଗର ସୂଚନା ଅନୁଯାୟୀ ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ ହେବ । ଉଭୟ ଗିରଫ ଯୁବକଙ୍କୁ ବନବିଭାଗ କୋର୍ଟ ଚାଲାଣ କରିଥିବା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବେ ରାଇକିଆ ବ୍ଲକ କରଡା ରେଞ୍ଜର ଡେଙ୍ଗାଖମଣ ଠାରେ ଏକ ହାତୀର ମୃତଦେହ ଠାବ କରାଯାଇଥିଲା । ସୂଚନାପାଇ ବନାଞ୍ଚଳ ଅଧିକାରୀ ବିରଞ୍ଚି ନାରାୟଣ ସାହୁ, ଫରେଷ୍ଟର ସୁବାସ ଦିଗାଲ ଓ ଅନ୍ୟମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ସେଠାରେ ହାତୀର ମୃତଦେହ ଜବତ କରିବାସହ ବ୍ୟବଚ୍ଛେଦ କରାଇଥିଲେ । ପରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ମଧ୍ୟ ସେଠାରେ ପହଞ୍ଚି ଛାନଭିନ କରିଥିଲେ । ତଦନ୍ତ ପରେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ବନ ବିଭାଗର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରି ଶେଷରେ ବାରହା ଶିକାର ପାଇଁ ଫାଶ ବସାଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବନ ବିଭାଗର ସୂଚନା ଅନୁଯାୟୀ, ଗତ ସପ୍ତାହରେ ଦୁଇଟି ହାତୀ ଗଞ୍ଜାମର ସୋରଡା ରେଞ୍ଜ ପଟୁ କରଡା ଅଞ୍ଚଳକୁ ପଶି ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଟି ଭଞ୍ଜନଗର ଆଡକୁ ଫେରିଯାଇଛି ।
ଏହାମଧ୍ୟ ପଢ଼ନ୍ତୁ. ବାରହା ମାରିବାକୁ ଲଗାଯାଇଥିଲା ଫାଶ, ଶୀକାର ହେଲା ହାତୀ
ନିକଟରେ ସମାନ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା ସମ୍ବଲପୁରର ସଦର ରେଞ୍ଜରେ । ଏଠାରେ ମଧ୍ୟ ଅଭିଯୁକ୍ତମାନେ ବାରହା ଶିକାର କରିବାକୁ ବିଦ୍ୟୁତ୍ ତାରର ଫାଶ ବିଛାଇଥିଲେ । ହେଲେ ହାତୀଟି ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ହାତୀର ମୃତ୍ୟୁ ହୋଇଥିଲା । ତେବେ ସେତେବେଳେ ପୌଷ ପୂର୍ଣ୍ଣିମା ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ପର୍ବ ଭାବେ ପାଳନ କରାଯାଉଥିଲା । ସେହି ସମୟରେ ଏହି ପର୍ବରେ ବାରହା ମାସଂର ଭୋଜି କରିବାକୁ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଲଗାଇ ଫାସ ଲଗାଯାଇଥିଲା । ହେଲେ ଏଥିରେ ବାରହା ପରିବର୍ତ୍ତେ ହାତୀ ପଡିଯିବାରୁ ହାତୀର ମୃତ୍ୟୁ ହୋଇଥିବା ଗିରଫ ଅଭିଯୁକ୍ତ ସ୍ୱୀକାର କରିଥିଲେ।
ଇଟିଭି ଭାରତ, କନ୍ଧମାଳ