ଫୁଲବାଣୀ: ନକ୍ସଲଙ୍କ ଶହୀଦ ସପ୍ତାହ ପାଳନକୁ ନେଇ ବନ୍ଦ ରହିଛି ସରକାରୀ ବସ ସେବା । ଆଜିଠାରୁ କନ୍ଧମାଳ ଜିଲ୍ଲାର 10ଟି ଦୁର୍ଗମ ରାସ୍ତାରେ ଚାଲୁଥିଲା 25ଖଣ୍ଡ ବସ ବନ୍ଦ ରହିଛି । ସୁରକ୍ଷା ଦୃଷ୍ଟିରୁ ଆସନ୍ତା ଅଗଷ୍ଟ 3 ତାରିଖ ଯାଏଁ ବସ ସେବା ବନ୍ଦ ରହିବ ବୋଲି ଫୁଲବାଣୀ ଓଏସଆରଟିସି ୟୁନିଟ ତରଫରୁ ସୂଚନା ଦିଆଯାଇଛି ।
ବେଲଘର, ଝିରିପାଣି, ଲଙ୍କାଗଡ, ପହିରାଜୁ, ବ୍ରାହ୍ମଣୀଗାଁ, ଲଣ୍ଡା ଗାଁ ପ୍ରଭୃତି ଅତ୍ୟନ୍ତ ଦୁର୍ଗମ ଓ ନକ୍ସଲ ପ୍ରବଣ ଅଞ୍ଚଳକୁ ବସ ସେବା ବନ୍ଦ ହୋଇଯାଇଛି । ଏହି ରାସ୍ତାରେ ଯାଉଥିବା ଏକମାତ୍ର ବସ ବନ୍ଦ ରହୁଥିବାରୁ ସାଧାରଣ ଲୋକେ ହଟହଟା ହେଉଛନ୍ତି । ଏଥିରୁ ନିଗମର ପ୍ରାୟ 4 ଲକ୍ଷ ଟଙ୍କା କ୍ଷତି ହେବ ବୋଲି ଆକଳନ କରାଯାଇଛି ।
ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଛି ବୋଲି କହିଛନ୍ତି ୟୁନିଟ ଇନ ଚାର୍ଜ । ପୋଲିସ ପକ୍ଷରୁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯିବା ସହ ସିଆରପିଏଫ, ଏସଓଜି ଏଵଂ ଅନ୍ୟ ଫୋର୍ସକୁ ମୁତୟନ କରାଯାଇଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ