ଫୁଲବାଣୀ: କୁଟିଆ କନ୍ଧ ଜନଜାତି ହେଉଛି କୃଷିଜୀବୀ ଜାତି । କୃଷିକୁ ନେଇ ରହିଛି ବହୁ ସଂସ୍କୃତି, ପରମ୍ପରା। କୃଷିକୁ ବଞ୍ଚାଇ ରଖିବା ପାଇଁ ରହିଛି ବିଭିନ୍ନ ପୂଜାପର୍ବାଣୀ । ସେହିପରି କୁଟିଆକନ୍ଧଙ୍କ ଏକ ନିଆରା ଯାତ୍ରା ହେଉଛି ବୁର୍ଲାଙ୍ଗ ଯାତ୍ରା । ଏହି ଯାତ୍ରାରେ ଆଦିବାସୀମାନେ ଅମଳ ପରେ ବୁର୍ଲାଙ୍ଗ ବା ଶସ୍ୟ ରଖିଥବା ଟୋକେଇକୁ ପୂଜା କରିବା ସହ ଶସ୍ୟ ଅଦଳ ବଦଳ କରିଥାନ୍ତି । ଯେଉଁ ଆଦିବାସୀ ଅଞ୍ଚଳରେ ଶସ୍ୟ ବା ବିହନର ଅଭାବ ଥିବ, ଏହି ଯାତ୍ରାରେ ସେହି ବିହନକୁ ଅଦଳ ବଦଳ କରିବାର ନିୟମ ରହିଛି । ବିଶ୍ଵାସ ରହିଛି ଯେ, ଟୋକେଇକୁ ପୂଜା କଲେ ସରାପେନୁ ଶସ୍ୟକୁ ଚୋରେଇ ନେବେ ନାହିଁ ଏବଂ ଶସ୍ୟ ଦୁଇ ଗୁଣ ହେବ। ଆଦିବାସୀମାନେ ମଧ୍ୟ ଖାଦ୍ୟ ଶସ୍ୟରେ ପୋକ ନଲାଗିବା ସହ ସୁରକ୍ଷିତ ରଖିବା ପାଇଁ ଧରଣୀ ପେନୁରେ ଦେବତାଙ୍କୁ ଅନୁରୋଧ କରନ୍ତି ।
ଏହି ବୁର୍ଲାଙ୍ଗ ଯାତ୍ରା ପୂର୍ବରୁ 10 ରୁ 12 ବର୍ଷରେ ଥରେ ହେଉଥିଲା । କିନ୍ତୁ ବର୍ତ୍ତମାନ କିଛି ସ୍ବେଚ୍ଛସେବୀ ସଂଗଠନ ପ୍ରତିବର୍ଷ କରୁଥିବା ଦେଖିବାକୁ ମିଳିଛି । ଏବେ ଆଦିବାସୀମାନଙ୍କ କ୍ଷୁଦ୍ର ଦାନା ଯୁକ୍ତ ଶସ୍ୟ ମାଣ୍ଡିଆ, କାଙ୍ଗୁ, କୋଦ ଓ ସୁଆଁ ଇତ୍ୟାଦି ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି । କୁଟିଆ କନ୍ଧଙ୍କ ଏହା ହେଉଛି ଏକ କୃଷି ଭିତ୍ତିକ ଉତ୍ସବ । କୁଟିଆ କନ୍ଧମାନେ ଏହି ପର୍ବକୁ ପାଳନ କରିବା ଉଦ୍ଦେଶ୍ୟ ହେଉଛି ପର୍ବ ମାଧ୍ୟମରେ କୃଷିକୁ ପ୍ରୋତ୍ସାହିତ କରିବା ବା କୃଷି ସଂସ୍କୃତିକୁ ପୁନରୁଦ୍ଧାର କରିବା।
କନ୍ଧମାଳ ଜିଲ୍ଲାର କୋଟଗଡ, ବେଳଘର ଆଦି କୁଟିଆ କନ୍ଧ ଅଞ୍ଚଳରେ ଏହି ଖୁଦ୍ର ଦାନ ଯୁକ୍ତ ଶସ୍ୟ ଚାଷ ହେଉଥିବାବେଳେ ଏହା ଧୀରେ ଧୀରେ ବୁଡିବାକୁ ବସିଲାଣି । ଏହାର ଉତ୍ପାଦନ ବଢେଇବା ପାଇଁ ନିର୍ମାଣ ନାମକ ଏକ NGO ପୁନରୁଦ୍ଧାର କରିବା ପାଇଁ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ କରିବା ସହ ଶସ୍ୟ ଅଦଳ ବଦଳ କରିଥାନ୍ତି । ଏହି ଯାତ୍ରାରେ କୁଟିଆ କନ୍ଧଙ୍କ ପାରମ୍ପରିକ ନାଚ ଓ ଗୀତ ବେଶ ଚିତାକର୍ଷକ ଥିଲା ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ