ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ସୂଚନା ଅଧିକାରୀ କର୍ମୀଙ୍କ ହତ୍ୟା ମାମଲା । ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ 5 ଗିରଫ । ଏହି ପାଞ୍ଚ ଜଣଙ୍କ ମଧ୍ୟରେ 2ଜଣ ସୁପାରୀ କିଲର ଥିବାବେଳେ ଏମାନେ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ଏସପି ପ୍ରତୀକ ସିଂ । ଏଥିସହ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ମଧ୍ୟ ଜଣାପଡିଛି । ତେବେ ସେମାନଙ୍କ ଠାରୁ ବନ୍ଧୁକ, ୩ ଗୁଳି, ବାଇକ୍ ଓ ୬ଟି ମୋବାଇଲ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ 5ଜଣିଆ ଟିମ ଗଠନ କରି ଯାଞ୍ଚ କରୁଥିବାବେଳେ ଏସପି ନିଜେ ଏହା ମାମଲାର ତଦାରଖ କରୁଥିଲେ ।
ବାଲିଗୁଡାରେ ଜଗନ୍ନାଥ ମନ୍ଦିର ମାର୍କେଟ କମ୍ପ୍ଲେକ୍ସ ଓ ମନ୍ଦିର ପରିଚାଳନାକୁ ନେଇ ବିଶ୍ବଜିତ ପାତ୍ରଙ୍କ ସହିତ ଅଭିମନ୍ୟୁଙ୍କ ବିବାଦ ଲାଗି ରହିଥିଲା । ଏପରିକି ଉଭୟଙ୍କ ଭିତରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଫଳରେ ଅଭିମନ୍ୟୁ ପଣ୍ଡାଙ୍କ ଠାରୁ ବଦଲା ନେବାକୁ ଯାଇ ବିଶ୍ବଜିତ ରାଜ ବିହାରୀ ଦାସ ଓ ବାଲାଜୀ ଆଚାରୀଙ୍କ ସହ ଷଡଯନ୍ତ୍ର ରଚିଥିଲା । ଏହାପରେ ସେମାନେ ବାହାରୁ ସୁପାରୀ କିଲରଙ୍କୁ ଆଣି ଅଭିମନ୍ୟୁଙ୍କୁ ହତ୍ୟା କରିଥିଲେ । ଆଉ ଏହି କାମ ପାଇଁ 2 ସୁପାରୀ କିଲରଙ୍କୁ 1 ଲକ୍ଷ ଟଙ୍କା ଦିଆଯାଇଥିବା ସୂଚନା ଦେଇଛନ୍ତି ଏସପି । ସେପଟେ, ଫେରାର ଥିବା ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେବାକୁ ମନା କରିଦେଇଛନ୍ତି ।
ଗତ ଡିସେମ୍ବର 10ରେ ବାଲିଗୁଡା ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଘରୁ ଡାକି ନେଇ ଗୁଳି କରି ମାରିଥିଲେ ଦୁର୍ବୃତ୍ତ । ଘଟଣା ବିଷୟରେ ପୋଲିସ ଛାନଭିନ କରୁଥିବାବେଳେ ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ