ଫୁଲବାଣୀ: ପୌଷ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ଲୋକାର୍ପଣ ଉତ୍ସବର ଭବ୍ୟ ଆୟୋଜନ ଉଦ୍ଦେଶ୍ୟରେ ସାରା ରାଜ୍ୟର ତଥା ରାଜ୍ୟ ବାହାରର ପ୍ରମୁଖ ଧର୍ମ ପୀଠମାନଙ୍କର ମୁଖ୍ୟ ସେବାୟତମାନଙ୍କୁ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଉଛି । ଏନେଇ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶ୍ରୀକ୍ଷେତ୍ରରୁ ଜଗନ୍ନାଥଙ୍କ ସେବାୟତମାନେ ନିମନ୍ତ୍ରଣ ନେଇ ଫୁଲବାଣୀରେ ପହଞ୍ଚିଛନ୍ତି ।
ତେବେ ବହୁପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ପତ୍ର ନେଇ ଶ୍ରୀଜନନ୍ନାଥ ଧାମ ପୁରୀରୁ ସୁଆର ଓ ମହାସୁଆର ସେବକ ରାଜ କିଶୋର ପଣ୍ଡା, ଜଗବନ୍ଧୁ ମହାସୁଆର ଓ ଲୋକନାଥ ଖୁଣି୍ଟଆ ସହ ପ୍ରଶାସନିକ ଅଧିକାରୀ ତଥା ପୁରୀ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ପ୍ରମୁଖ ଆସି ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚିଛନ୍ତି । କନ୍ଧମାଳ ଜିଲ୍ଲାର ଦୁଇ ମନ୍ଦିରର ୪ ଜଣ ମୁଖ୍ୟ ସେବାୟତଙ୍କୁ ସେହି ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ଆଜି ଆମନ୍ତ୍ରଣ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ......17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ମାମୁଁ ଘର ମାଧବାନନ୍ଦ ଜୀଉଙ୍କ ନିକଟକୁ ଗଲା ନିମନ୍ତ୍ରଣ ପତ୍ର
ସେପଟେ ଜଗନ୍ନାଥ ମହାପ୍ରଭୁଙ୍କ ସୁଆର ଓ ମହାସୁଆର ସେବକ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ସ୍ଥାନୀୟ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ପାଖରୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ସ୍ଥାନୀୟ ଜଗନ୍ନାଥ ମନ୍ଦିର କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟ, ଫୁଲମାଳ ଓ ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ କରିଥିଲେ । ସେଠାରୁ ଦୁଇଟି ସଂକୀର୍ତ୍ତନ ମଣ୍ଡଳୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର କମିଟି ଦ୍ୱାରା ମଧ୍ୟ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏଥିରେ ସ୍ଥାନୀୟ ଜନସାଧାରଣ ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଥିଲେ । ତେବେ ଏହି ନିମନ୍ତ୍ରଣ ପତ୍ର ପାଇ ବେସ୍ ଖୁସି ହେବାସହ ଆତ୍ମବିଭୋର ହୋଇପଡ଼ିଥିଲେ ଫୁଲବାଣୀ ବାସୀ । ତେବେ ଆସନ୍ତା ଜାନୁଆରୀ 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଧର୍ମପୀଠମାନଙ୍କୁ ପ୍ରକଳ୍ପର ଲୋକର୍ପଣ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଉଛି ।
ଇଟିଭି ଭାରତ, କନ୍ଧମାଳ