ଫୁଲବାଣୀ: ଟ୍ରାକ୍ଟର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କାରୁ ତିନିଜଣଙ୍କ ମୃତ୍ୟୁ ଅଭିଯୋଗ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଟ୍ରାକ୍ଟର ସହ ଓ ଗୋଟିଏ ପଲସର୍ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ଦୁର୍ଘଟଣାରେ ୨ଜଣ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଖବରପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।
ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା 2ଜଣ ବାଲିଗୁଡ଼ା ଥାନା ଦିଗାପଦର ଗ୍ରାମର ରାଧେକୃଷ୍ଣ ପୂଜାରୀ ଓ ଦଶରଥ ବିଶିମାଝୀ ହୋଇଥିବାବେଳେ ଗୁରୁତର ସାଗର ଦିଗାଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଗତକାଲି(ଶନିବାର) ରାତିରେ ସିନ୍ଦ୍ରିଗାଁ ପଟୁ ବାଲିଗୁଡ଼ା ଆଡ଼କୁ ଏକ ଟ୍ରାକ୍ଟର ଆସୁଥିବାବେଳେ ବାଲିଗୁଡ଼ା ପଟୁ ତିନିଜଣ ଯୁବକ ଏକ ପଲସର ମୋଟର ସାଇକେଲରେ ନିଜ ଗାଁକୁ ଯାଉଥିବା ସମୟରେ କଟପଡ଼ି ନିକଟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ