ଭବାନୀପାଟଣା: ଆଳୁ ଗାଡିରେ ହେଉଥିଲା ଗଞ୍ଜେଇ ଚାଲାଣ । ଜବତ କଲା ବନବିଭାଗ । କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ଦେଇ ଯାଉଥିବା ଏକ ଆଳୁ ବୋଝେଇ ପିକଅପ ଭ୍ୟାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବନବିଭାଗ ।
ସୂଚନାଅନୁସାରେ, କର୍ଲାପାଟ ଅଭୟାରଣ୍ୟ ଦେଇ ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତା କର୍ଲାପାଟ ଚେକଗେଟରେ ବନ ବିଭାଗ ପକ୍ଷରୁ ଚେକିଙ୍ଗ ଚାଲିଥିଲା । ଏହି ସମୟରେ ଗୋଟିଏ ଆଳୁ ବୋଝେଇ ପିକଅପ ଭ୍ୟାନକୁ ଅରକାଇଥିଲା ବନବିଭାଗ । ବନବିଭାକୁ ଦେଖି ଗାଡିଟିକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଗାଡିଟିକୁ ଯାଞ୍ଚ କରିବା ପରେ ଆଳୁବସ୍ତାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି ।
ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 1ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ବନବିଭାଗ ଏନେଇ ଥୁଆମୂଳ ରାମପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗଞ୍ଜେଇ ସମେତ ପିକଅପ ଭ୍ୟାନଟିକୁ ଜବତ କରିଛି । ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା ଓ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ରମାପୁର ପୋଲିସ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିିଭି ଭାରତ