ଭବାନୀପାଟଣା: ଅପହଞ୍ଚ ପାହାଡିଆ ଇଲାକାର ଗାଁ । ଯେଉଁଠି ବିଜୁଳିର ଲୁଚକାଳି ଖେଳ ଚାଲେ, ଯେଉଁଠି ବିଜୁଳି ସମସ୍ୟା ହେଲେ ବିଦ୍ୟୁତ ବିଭାଗ କେବେ ପହଞ୍ଚେ ନାହିଁ ବୋଲି ଅଭିଯୋଗ ହୁଏ । ସେମିତି ଏକ ଗାଁ ହେଉଛି କଳହାଣ୍ଡିର ସାପଦୁହୁନି । ତେବେ ଏଠାରେ ଗ୍ରାମବାସୀଙ୍କୁ ବିଜୁଳି ଯୋଗାଇବା ବେଳେ ଚାଲିଗଲା ଯୁବକଙ୍କ ଜୀବନ ।
ସୂଚନା ଅନୁଯାୟୀ, ଏହି ଗାଁରେ ଦୁଇଦିନ ଧରି ସନ୍ଧ୍ୟା ସମୟରେ ବର୍ଷା ସହ ପବନ ହେବା ଫଳରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା । ଆଜି(ସୋମବାର) ସନ୍ଧ୍ୟା ସମୟରେ ବିଦ୍ୟୁତ ବିଭାଗ ପକ୍ଷରୁ ସାପଦୁହୁନି ଗାଁ ନିକଟରେ ଥିବା ଗାଁ ମାନଙ୍କୁ ବିଜୁଳି ସଂଯୋଗ କରାଯାଇଥିଲା । ହେଲେ ସାପଦୁହୁନି ଗାଁରେ ବିଜୁଳି ନଆସିବାରୁ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ହେଲେ ବିଦ୍ୟୁତ ବିଭାଗ ନଆସିବାରୁ ଗାଁର କିଛି ଯୁବକ ଗାଁ ଶେଷ ମୁଣ୍ଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟକୁ ଯାଇ ଦେଖିଥିଲେ ।
ଏହି ସମୟରେ ସେହି ଗାଁ ଯୁବକ ଲମ୍ବୋଦର ଦୋରା ଟ୍ରାନ୍ସଫର୍ମର ଫ୍ୟୁଜ୍ ଯାଇଥିବା କହି ଟ୍ରାନ୍ସଫର୍ମର ଉପରକୁ ଚଢି ସଜାଡ଼ିବା ବେଳକୁ ହଠାତ ବିଦ୍ୟୁତ ଆଘାତ ହୋଇଥିଲା । ଫଳରେ ବିଦ୍ୟୁତ ଝଟକା ସହିନପାରି ଘଟଣା ସ୍ଥଳରେ ହିଁ ଲମ୍ବୋଦରଙ୍କ ମୃତ୍ୟ ହୋଇଥିଲା । ପରେ ଗ୍ରାମବାସୀ ନିକଟ ଗାଁକୁ ଯାଇ ବିଦ୍ୟୁତ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ପରେ ସାପଦୁହୁନି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମାଞ୍ଚଳରେ ବିଦ୍ୟୁତ ସଂଯୋଗ କରି ବିଦ୍ୟୁତ ବିଭାଗ ତଦାରଖ କରୁନଥିବା ଅଭିଯୋଗ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ