ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୋଲିସର ଜୁଲୁମ ! ଦିନକ ପୂର୍ବରୁ ମଦନପୁର ରାମପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ପୋଲିସ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ପୁଣିଥରେ ପୋଲିସ ବିରୋଧରେ ଆଉ ଏକ ଅଭିଯୋଗ ଆସିଛି । ମୋବାଇଲ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଥାନାକୁ ଆଣି ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବକଙ୍କ ଶରୀରରେ ମାଡ ଚିହ୍ନ ଥିବାବେଳେ ଗୋଡ ଫୁଲି ଯାଇଥିବା ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେ ଭଲ ଭାବେ ଚାଲି ପାରୁନାହାନ୍ତି । ଏନେଇ ପୀଡିତ ଯୁବକଙ୍କ ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇ ପୋଲିସ ବିରୋଧରେ ଅଭିଯୋଗ କରିଛନ୍ତି । ମାଡ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ ୧ ତାରିଖ ଦିନ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଲଗାଁରେ ଏକ ମୋବାଇଲ ଚୋରି ମାମଲାରେ ସେହି ଗାଁର ଯୁବକ ଦେବେନ୍ଦ୍ର ଛତ୍ରୀଆଙ୍କୁ ପୋଲିସ ଥାନାକୁ ଆଣିଥିଲା । ଦିନକ ପରେ ସେ ଥାନାରୁ ବାହାରିବା ପରେ ତାଙ୍କର ଗୋଡ, ହାତ, ପିଠିରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା । ଯୁବକଙ୍କ ଗୋଡ ଫୁଲି ଯାଇଥିଲା । ଏହାଦେଖି ପରିବାର ଲୋକେ ପଚାରିବାରୁ ପୋଲିସ ନିର୍ମମ ଭାବେ ମାଡ ଦେଇଥିବା ଦେବେନ୍ଦ୍ର କହିଥିଲେ ।
ପୋଲିସର ଏଭଳି ବର୍ବରତାକୁ ବିରୋଧ କରି ଗତକାଲି(ଗୁରୁବାର) ପୀଡିତଙ୍କ ପରିବାର କିଛି ଗାଁ ଲୋକଙ୍କ ସହ ସଦର ଥାନାରେ ଆସି ଅଭିଯୋଗ କରିଛନ୍ତି । ଦେବେନ୍ଦ୍ରଙ୍କୁ ମାଡ ଦେଇଥିବା ତିନି ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି କଳାହାଣ୍ଡି ଏସପିଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ନାଁରେ ଆସିଲା ହତ୍ୟା ଅଭିଯୋଗ
ଏହି ଘଟଣା ସମ୍ପର୍କରେ ସଦର ଥାନା ଆଇଆଇସି ରଶ୍ମିତା ପ୍ରଧାନଙ୍କୁ ପଚାରିବାରୁ ଦେବେନ୍ଦ୍ର ବିରୋଧରେ ମୋବାଇଲ ଚୋରି ଅଭିଯୋଗ ଥିବାରୁ ତାକୁ ଥାନାକୁ ଅଣାଯାଇଥିଲା ବୋଲି ସ୍ବୀକାର କରିଛନ୍ତି । କିନ୍ତୁ ହାଜତରେ ମାଡ଼ ମରାଯିବା ଘଟଣାକୁ ସେ ଅସ୍ବୀକାର କରିଛନ୍ତି । ତେବେ ଲିଖିତ ଅଭିଯୋଗ ଭିତ୍ତିରେ ଏହି ମାମଲାର ତଦନ୍ତ କରାଯିବ ବୋଲି ଆଇଆଇସି କହିଛନ୍ତି । ଅନ୍ୟପଟେ ମୋବାଇଲ ଚୋରି ଭଳି ମାମଲାରେ ଜଣେ ଯୁବକଙ୍କୁ ଥାନାରେ ନିର୍ଯାତନା ଦିଆଯିବା ଘଟଣାକୁ ଅସ୍ବୀକାର କରାନଯାଇ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, କଳାହାଣ୍ଡି