ଭବାନୀପାଟଣା: ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । କଳାହାଣ୍ଡି ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଲମ୍ବଟି ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମହିଳା ଜଣଙ୍କ ହେଉଛନ୍ତି ନୂନମାଠ ଗାଁର ନରେନ୍ଦ୍ର ନନ୍ଦଙ୍କ ଦ୍ୱିତୀୟ ସ୍ତ୍ରୀ ଗୁଣବତୀ ନନ୍ଦ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ସୂଚନା ଅନୁଯାୟୀ, କେସିଙ୍ଗା ଥାନା ଅନ୍ତର୍ଗତ ନୂନମାଠ ଗାଁନିକଟରେ ଥିବା ଲମ୍ବଟି ଜଙ୍ଗଲରେ ମହିଳାଙ୍କ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ମହିଳାଙ୍କ ପରିବାରକୁ ଖବର ଦେଇଥିଲେ । ପରେ ଗୁଣବତୀ ନନ୍ଦଙ୍କ ବାପ ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଝିଅକୁ ଶଶୁର ଘର ଲୋକେ ହତ୍ୟା କରିଥିବା ନେଇ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି । ସେପଟେ ଗୁଣବତୀ ନରେନ୍ଦ୍ର ନନ୍ଦଙ୍କ ଦ୍ୱିତୀୟ ସ୍ତ୍ରୀ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା ।
ଏନେଇ ଗୁଣବତୀ ଅନେକ ଥର ତାଙ୍କ ବାପା ଘର ପରିବାରକୁ ଫୋନ ଯୋଗେ ମଧ୍ୟ ଜଣାଇଥିଲେ । ମଙ୍ଗଳବାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗୁଣବତୀଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ