ଭବନୀପାଟଣା: ଟ୍ରେନରୁ ପଡି ମହିଳା ମୃତ । କଳାହାଣ୍ଡି ଜିଲ୍ଲା ନର୍ଲାରୋଡ଼ ରେଳ ଷ୍ଟେସନରୁ ପ୍ରାୟ ୨ କିମି ଦୂର ଲାଞ୍ଜିଗଡରୋଡ ଷ୍ଟେସନର ଉଲିସିର୍କା ଫାଟକ ପାଖରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦ୍ବିତୀୟ ଓ ତୃତୀୟ ରେଳଟ୍ରାକ୍ ପାର୍ଶ୍ବରେ ଏହି ମୃତଦେହ ପଡିରହିଥିବା ବେଳେ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଟ୍ରେନରୁ ଖସିପଡି ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ହେଲେ ଛତିଶଗଡ଼ ଅଞ୍ଚଳର ଲକ୍ଷ୍ନୀ ଲାଠେ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଗତକାଲି(ଗୁରୁବାର) ଦ୍ୱିପ୍ରହର ବେଳେ ଜଗଦଲପୁର-ହାୱଡା (୧୮୦୦୬) ସମଲେଶ୍ବରୀ ଏକ୍ସପ୍ରେସ୍ ଟ୍ରେନରୁ ମହିଳା ଜଣକ ଖସିପଡିଥିଲେ । ଫଳରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ମହିଳା ଟ୍ରେନରୁ ଖସିପଡିବା ପରେ ତାଙ୍କ ସ୍ଵାମୀ ଟ୍ରେନର ଚେନ ଟାଣି ଟ୍ରେନକୁ ଅଟକାଇ ସ୍ତ୍ରୀ ନିକଟକୁ ଯାଇଥିଲେ । ହେଲେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ସ୍ବାମୀ ତାଙ୍କର ୪ ବର୍ଷର ଶିଶୁକୁ ସାଙ୍ଗରେ ନେଇ ନର୍ଲାରୋଡ ଷ୍ଟେସନକୁ ଯାଇ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ଏହାପରେ ନର୍ଲାରୋଡ ଷ୍ଟେସନ ମାଷ୍ଟର ତୁରନ୍ତ ଟିଟିଲାଗଡ ରେଳବାଇ ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼କୁ ପଠାଇଥିବା ବେଳେ ମୃତକ ଛତିଶଗଡ଼ ଅଞ୍ଚଳର ଲକ୍ଷ୍ମୀ ଲାଠେ ବୋଲି ଜଣାପଡିଛି ।
ସୂଚନାଅନୁସାରେ, ମୃତ ମହିଳା ଓ ତାଙ୍କ ପରିବାର ଦୀର୍ଘ ବର୍ଷ ହେଲା ଆନ୍ଧ୍ରପ୍ରଦେଶର ଏକ କମ୍ପାନୀରେ କାମ କରନ୍ତି । ସେଠାରୁ ଛୁଟି ନେଇ ନେଇ ଘରକୁ ଟ୍ରେନରେ ଯାଉଥିଲେ । ମହିଳା ଜଣକ ଟ୍ରେନ ଚାଲିବା ସମୟରେ ଟ୍ରେନରେ ଥିବା ଶୌଚାଳୟକୁ ଯାଇ ଫେରିବା ସମୟରେ ଟ୍ରେନରୁ ଖସିପଡ଼ି ଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ମହିଳାଙ୍କ ନିକଟରେ ଟ୍ରେନର ଟିକେଟ ରହିଥିବା ଯୋଗୁଁ ସରକାରଙ୍କ କ୍ଷତିପୂରଣ ବୀମା ଅନୁଯାୟୀ ଅନୁକମ୍ପା ମୂଳକ ବ୍ୟବସ୍ଥା ପରିବାର ବର୍ଗଙ୍କୁ ଯୋଗାଇ ଦିଆଯିବ ବୋଲି ରେଳବାଇ ପୋଲିସ ସୂଚନା ଦେଇଛି ।
ଏହା ମଧ୍ୟ ପଢନ୍ତୁ: ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା, ଦୁଇ ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଆକାଉଣ୍ଟାଣ୍ଟ ସୁଚିସ୍ମିତା
ଇଟିଭି ଭାରତ, କଳାହାଣ୍ଡି