ଭବାନୀପାଟଣା: ଖାଲ ଖମାରେ ଭର୍ତ୍ତି ଅଙ୍କାବଙ୍କା କଚ୍ଚା ରାସ୍ତା । ମଝିରେ ମଝିରେ ପଥୁରିଆ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଲୋକେ । ଏ ଦୃଶ୍ୟ ହେଉଛି ଦିଆଲ ବାହାଲି ଗାଁର । ଜିଲ୍ଲାର ଲାଞ୍ଜିଗଡ ବ୍ଲକରେ ଏହାର ଅବସ୍ଥିତି । ସେ ଶିକ୍ଷା, ସ୍ବାସ୍ଥ୍ୟ ହେଉ ଅବା ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀ, ଗାଁ ଲୋକେ ସବୁବେଳେ ପଞ୍ଚାୟତ କାର୍ଯାଳୟ ଉପରେ ନିର୍ଭରଶୀଳ । ଆଉ ଏହି ଗାଁର ବଡ ସମସ୍ୟା ହେଉଛି ରାସ୍ତା । ଭଲ ରାସ୍ତାଟିଏ ନଥିବାରୁ ଅଞ୍ଚଳବାସୀ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ।
ଗାଁଠାରୁ ପଞ୍ଚାୟତ କାର୍ଯାଳୟର ଦୂରତା ପ୍ରାୟ ୫ କିଲୋମିଟର । ହେଲେ ଗାଁକୁ ଯିବାକୁ ଏହି କଚ୍ଚା ରାସ୍ତା ଦେଇ ରେତ ନାଳ ପାରି ହେବାକୁ ପଡେ । ଆଉ ବର୍ଷା ଦିନେ ଜଳବନ୍ଦୀ ଜୀବନ । ଲୋକଙ୍କ ସମସ୍ୟା ଦେଖି ସରକାର ଏଠି ବିଜୁ ସେତୁ ନିର୍ମାଣ ପାଇଁ ଯୋଜନା କରିଥିଲେ । ଏହା ଜାଣି ଲୋକଙ୍କ ଖୁସି କହିଲେ ନସରେ । ସେତୁ ନିର୍ମାଣ ପାଇଁ ମୂଳଦୁଆ ପଡିଲା । ଆଉ ଆରମ୍ଭ ହେଲା ସେତୁ ବନ୍ଧନର ପ୍ରାଥମିକ ପର୍ଯାୟ । ହେଲେ ଆରମ୍ଭର କିଛି ମାସ ପରେ ଠପ ହୋଇଗଲା ନିର୍ମାଣ କାମ । ଆଜକୁ ବର୍ଷେ ହେବ ଏମିତି ଅର୍ଦ୍ଦନିର୍ମିତ ଅବସ୍ଥାରେ ପଡିରହିଛି ଆମ ସରକାରଙ୍କ ବିଜୁ ସେତୁ ।
ଏମାନେ ସମସ୍ତେ କଳାହାଣ୍ଡି ଜିଲ୍ଲାର ବାସିନ୍ଦା ସତ ହେଲେ ଜିଲ୍ଲାର ସରକାରୀ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ଅପହଞ୍ଚ । କେବଳ ଭୋଟ ବେଳେ ହିଁ ନେତାଙ୍କୁ ମନେପଡେ ଏହି ଅନୁନ୍ନତ ଗାଁ । ଏନେଇ ବିଧାୟକଙ୍କ ଦ୍ରୃଷ୍ଟି ଆକର୍ଷଣ କରିବାରୁସେ ଗ୍ରାମାଞ୍ଚଳର ବିକାଶ ପାଇଁ ଖସଡା ପ୍ରସ୍ତୁତ ହେଉଛି କହି ସ୍ବପ୍ନ ଦେଖାଇ ଚାଲିଛନ୍ତି ।
କଳାହାଣ୍ଡିରୁ ଅଜୀତ ସିଂହ, ଇଟିଭି ଭାରତ