କଳାହାଣ୍ଡି: ଅଜ୍ଞାନକୁ ଜ୍ଞାନବନ୍ତ କରି ଯିଏ ଗଢିତୋଳନ୍ତି ସେ ହେଉଛନ୍ତି ଗୁରୁ । ଆଉ ଗୁରୁଙ୍କ ସାନିଧ୍ୟରେ ଯିଏ ଧନ୍ୟ ହୁଏ ସେ ଶିଷ୍ୟ । ସମାଜର ମାର୍ଗଦର୍ଶକ ହେଉଛନ୍ତି ଶିକ୍ଷକ । କିନ୍ତୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣା ଗାଁରେ ଦେଖିବାକୁ ମିଳିଛି ଭିନ୍ନ ଘଟଣା ।
ଜିଲ୍ଲାର ଜଣେ ଦାୟିତ୍ବହୀନ ଶିକ୍ଷକଙ୍କୁ ତାଙ୍କ କାର୍ଯ୍ୟକଳାପ ଯୋଗୁଁ ଆଇନଗତ ଦଣ୍ଡାଦେଶ ପରେ ଅନ୍ୟତ୍ର ବଦଳି କରାଗଲା କିନ୍ତୁ ସେଠାରେ ମଧ୍ୟ ଏହି ଶିକ୍ଷକ ଜଣଙ୍କୁ ଗ୍ରାମବାସୀ ବିରୋଧ କରି ସ୍କୁଲରେ ପକାଇଛନ୍ତି ତାଲା । ଶିକ୍ଷକ ଜଣକ (ଶଶୀଧର ନାଏକ)ପୂର୍ବରୁ ପାଡେପଦର ସ୍କୁଲରେ କାର୍ଯ୍ୟରତ ଥିଲେ, କିନ୍ତୁ ବାରମ୍ବାର ଦାୟିତ୍ବରେ ଅବହେଳା ଅଭିଯୋଗ ପରେ ତାଙ୍କୁ ଅନ୍ୟ ଗାଁ (ମହୁଲପାଟଣା)ବଦଳି କରାଯାଇଥିଲା ।
ହେଲେ ଏଠାରେ ମଧ୍ୟ ପୂର୍ବ ପରି ଅବସ୍ଥା । ନୂତନ ଶିକ୍ଷକ ଭାବରେ ଯୋଗଦେବା ସମୟରେ ଶିକ୍ଷକଙ୍କ ପୂର୍ବ କାରନାମା ଜାଣିବା ପରେ ଏବେ ବିରୋଧ କରିଛନ୍ତି ଗ୍ରାମବାସୀ । ଯାହାକି ଏବେ ଜିଲ୍ଲା ଶିକ୍ଷକ ସମାଜରେ ଚର୍ଚ୍ଚାର ବିଷୟ ପାଲଟିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ