ଭବାନୀପାଟଣା: ଥୁଆମୂଳ ରାମପୁର ବ୍ଲକର କାର୍ଯ୍ୟରତ ଜେଇଙ୍କୁ ନେଇ ବିବାଦ । ଜେଇଙ୍କୁ ଅତିରିକ୍ତ ଯନ୍ତ୍ରୀ ଭାବେ ପଦୋନ୍ନତି ଦେବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିଧାୟକ ପ୍ରଦୀପ ଦିଶାରୀ । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହାକୁ ବିରୋଧକରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ଆଜି ଥୁଆମୂଳ ରାମପୁର ଶିକ୍ଷିତ ଯୁବକ ମଞ୍ଚ ପକ୍ଷରୁ ଭବାନୀପାଟଣା ଠାରେ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନ ଓ ବିଧାୟକଙ୍କ ଉପରେ ବର୍ଷିଛନ୍ତି ।
ଅଭିଯୋଗ ଅନୁଯାୟୀ,'' ବ୍ଲକରେ କାର୍ଯ୍ୟରତ ଜେଇ ବାଞ୍ଛାବଟ ପାଣ୍ଡେଙ୍କ ଅନେକ ଦିନ ଧରି ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି । କିନ୍ତୁ ଏନେଇ ଯଦି କିଏ ଅଭିଯୋଗ କରୁଛି ତେବେ ତାକୁ ନାଲି ଆଖି ଦେଖାଉଛନ୍ତି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ଛତ୍ରଛାୟା ତଳେ ରହି ବାବୁ ଜଣଙ୍କ ଦୁର୍ନୀତି ରାଜ ଚଳାଇଥିବା ଅଭିଯୋଗ ହୋଇଛି ''।
ତେବେ ଏତେ ସବୁ ପରେ ମଧ୍ୟ ଗତ କିଛି ଦିନ ତଳେ ମଞ୍ଚଭଟ୍ଟ ପାଣ୍ଡେଙ୍କୁ ଜେଇରୁ ଅତିରିକ୍ତ ଯନ୍ତ୍ରୀ ପଦୋନ୍ନତି କରି ଥୁଆମୂଳ ରାମପୁରେ ହିଁ ନିଯୁକ୍ତି ଦେବା ନେଇ ବିଧାୟକ ପ୍ରଦୀପ ଦିଶାରୀ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କୁ ଚିଠି ମାଧ୍ୟମରେ ଦାବି କରିଥିଲେ । ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହ ବ୍ଲକରେ କାର୍ଯ୍ୟରତ ଅତିରିକ୍ତ ଯନ୍ତ୍ରୀ ସାଲୁଖ ହେମ୍ବ୍ରମଙ୍କୁ ସରକାର ଗତ ୬ ମାସ ତଳେ ଥୁଆମୂଳ ରାମପୁର ବ୍ଲକରେ ନିଯୁକ୍ତି କରିଥିବା ବେଳେ ତାଙ୍କୁ ପୁଣି ଥରେ ଅନ୍ୟତ୍ର ବଦଳି କରି ଜେଇ ମଞ୍ଚଭଟ୍ଟ ପାଣ୍ଡେଙ୍କୁ ନିଯୁକ୍ତି କରିବାକୁ ଚିଠି ଲେଖିବାରୁ ଏହାକୁ ବିରୋଧ କରିଛି ଶିକ୍ଷିତ ଯୁବକ ମଞ୍ଚ ।