ଭବାନୀପାଟଣା: ଗରିବ ଖଟିଖିଆଙ୍କୁ ଆର୍ଥିକ ତଥା ସାମାଜିକ କ୍ଷେତ୍ରରେ ସୁଦ୍ରୁଢ କରିବା ପାଇଁ ୨୦୦୫ ମସିହା ରେ କାର୍ଯକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସହ କାମ ବି ଯୋଗାଇ ଦିଆଯାଉଛି ହେଲେ ମଜୁରୀ ଦେବାରେ ଦେଖାଦେଉଛି ବ୍ୟତିକ୍ରମ । ଏନେଇ ଅଭିଯୋଗ ଆସିଛି ଭବାନୀପାଟଣା ବ୍ଲକ ବୋର୍ଡା ଗାଁରୁ । ହାତରେ ଜବକାର୍ଡ ମନରେ କ୍ଷୋଭ ପ୍ରକାଶ କରିଛନ୍ତି ହିତାଧିକାରୀ । ମନରେଗା ଯୋଜନା ମାଧ୍ୟମରେ ଜବକାର୍ଡ ଧାରୀଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ହେଲେ ଏହି ପଞ୍ଚାୟତର ପ୍ରାୟ ୫୦ ଜଣ ହିତାଧିକାରୀଙ୍କୁ ମନରେଗା ଯୋଜନାରେ ପଞ୍ଚାୟତ ତରଫରୁ ପୋଖରୀ ଓ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା ।
ହେଲେ କାମ କରିବାର ଆଜକୁ ପ୍ରାୟ ୧ ବର୍ଷ ପରେ ମଧ୍ୟ ଶ୍ରମିକଙ୍କୁ ମିଳିନି ମଜୁରୀ । ଏନେଇ ହିତାଧିକାରୀ ବାରମ୍ବାର ପଞ୍ଚାୟତ ଅଫିସ ଠାରୁ ବ୍ଲକ ଅଧିକାରୀଙ୍କ ଦ୍ବାରସ୍ଥ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ରାଜ୍ୟରେ ଦାଦନ ପ୍ରଥାକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟବରାଦ କରୁଛନ୍ତି ହେଲେ ମନରେଗା ଯୋଜନାରେ ହିତାଧିକାରୀଙ୍କୁ ଦୀର୍ଘ ୧ ବର୍ଷ ଧରି ମଜୁରୀରୁ ବଞ୍ଚିତ ରଖିବା ଏବେ ପରୋକ୍ଷରେ ଦାଦନ ପ୍ରଥାକୁ ସମର୍ଥନ ପରି ମନେହୁଏ ।
ଏ ପ୍ରସଙ୍ଗରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ