ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ପରିଚାଳନା ସଂସ୍ଥା ଦ୍ୱାରା ଆୟୋଜିତ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳୁଛି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଉଛି । ରାଜରାସ୍ତାକୁ ଓହ୍ଲାଉଛନ୍ତି ଆଶାୟୀ । ଆନ୍ଦୋଳନ ଓ ବିକ୍ଷୋଭ କରୁଛନ୍ତି ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଓ ପରିବାର ବର୍ଗ । ବାରମ୍ବାର ଏଭଳି ସ୍ଥିତି ଉପୁଜିବା ପରେ କଠୋର ଆଭିମୁଖ୍ୟ ଆପଣାଇଛନ୍ତି ମୋହନ ସରକାର । ସରକାରୀ ଚାକିରି ଚୟନ ପରୀକ୍ଷାରେ ସ୍ୱଚ୍ଛତା ପାଇଁ ନୂଆ ଆଇନ ଆଣିଛନ୍ତି ମୋହନ ସରକାର । ଜାଲିଆତିରେ ସମ୍ପୃକ୍ତ ଅପରାଧୀଙ୍କୁ 3ରୁ 5 ବର୍ଷ ଜେଲଦଣ୍ଡ ସହ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନ ଦେବାକୁ ପଡ଼ିବ । ଏଥିପାଇଁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ-2024’କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି ।
- କ୍ୟାବିନେଟ ମଞ୍ଜୁରୀ,ଶୀତ ଅଧିବେଶନରେ ପାରିତ ହେବ ବିଲ୍
ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ବୈଠକରେ 8ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରେ ରାଜ୍ୟ ସରକାରୀ ଚାକିରି ଚୟନ ପରୀକ୍ଷାରେ ପାରଦର୍ଶିତା ଆଣିବା ପାଇଁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା( ଅନୁଚିତ ସାଧନ ନିବାରଣ) ଆଇନ-2024’କୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଓଡ଼ିଶା ଲୋକସେବା ଆୟୋଗ ବା ‘ଓପିଏସସି’, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ, ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ ଆୟୋଗ, ସର୍ଭିସ ସିଲେକ୍ସନ ବୋର୍ଡ, ‘ଓଡ଼ିଶା ପୁଲିସ ସିଲେକ୍ସନ ବୋର୍ଡ’, ‘ଓଡ଼ିଶା ଶିକ୍ଷା ରୁଲସ୍-1992’, ଓଡ଼ିଶା ଜେଇଇ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କିମ୍ବା ଗଠିତ ଚୟନ କମିଟି ବା ଏଜେନ୍ସୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଏଜେନ୍ସୀ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଏହି ନୂଆ ଆଇନ ଅଣାଯାଇଛି । ଏହି ବିଲକୁ ଆସନ୍ତା ଶୀତ ଅଧିବେଶନରେ ପାରିତ କରିବାରକୁ ମୋହନ ସରକାର ଲକ୍ଷ୍ୟ ରଖିଛନ୍ତି ।
ଏହା ମଦ୍ୟ ପଢନ୍ତୁ:- ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ ଗ୍ରାମାଞ୍ଚଳ ସ୍ୱ-ରୋଜଗାରକୁ ଗୁରୁତ୍ୱ: 8ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର |
- ଜାମିନ ବିହୀନ ଓ ଗିରଫଯୋଗ୍ୟ ହେବ ଅପରାଧ
‘ଓଡ଼ିଶା ପବ୍ଲିକ ଏକ୍ସଜାମିନେସନ ଆକ୍ଟ- 2024’ କାର୍ଯ୍ୟକ୍ଷମ ହେଲେ ସରକାରୀ ଚାକିରି ପାଇଁ ଚୟନ ପରୀକ୍ଷାରେ ମିଥ୍ୟା ପରିଚୟ ପ୍ରଦାନ, ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ହଲକୁ ଅନଧିକୃତ ବ୍ୟକ୍ତିଙ୍କ ପ୍ରବେଶ ନିଷେଧ ସହ ପରୀକ୍ଷାର ଅଖଣ୍ଡତା ବଜାୟ ରଖିବା ପାଇଁ ଏହି ବିଲ ଅଣାଯାଇଛି । ଆଇନରେ ସମସ୍ତ ଅପରାଧ, ଜାମିନବିହୀନ ଓ ଗିରଫଯୋଗ୍ୟ ହେବ ।
- 5 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ, 10 ଲକ୍ଷ ଜୋରିମାନା
କୌଣସି ବ୍ୟକ୍ତି ପରୀକ୍ଷାରେ ଅନୁଚିତ ଉପାୟ ଓ ଜାଲିଆତି କଲେ 3ରୁ 5 ବର୍ଷ ଜେଲ ଦଣ୍ଡ ସହ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ କରାଯିବ । ସେବା ପ୍ରଦାନକାରୀ ମଧ୍ୟ 1 କୋଟି ପର୍ଯ୍ୟନ୍ତ ଜୋରିମାନା ଦେବେ । ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ତାଙ୍କଠାରୁ ଆଦାୟ କରାଯିବ । ଜୋରିମାନା ପୈଠରେ ବିଫଳ ହେଲେ ଭାରତୀୟ ନ୍ୟାୟ ସଂହିତା-2023 ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ ଜେଲଦଣ୍ଡ ଲାଗୁ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର