ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମାତିଛନ୍ତି ଡକାୟତ । ଗତ ଦୁଇ ମାସ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ଡକାୟତି ବୃଦ୍ଧି ପାଇଥିବା ବେଳେ ପୋଲିସର ପାରିବା ପଣିଆକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ପୋଲିସ ଆଖିରେ ଧୂଳି ଦେଇ ବାରମ୍ବାର ଲୁଟ୍ ଚାଲିଛି । ଫଳରେ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁନାହାନ୍ତି ।
କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଲୁଟ ଘଟଣା ସାମ୍ନାକୁ ଆସୁଥିବାବେଳେ ଜୟପାଟଣା ଥାନା ଅନ୍ତର୍ଗତ ଖଣ୍ଡିଡୁଙ୍ଗରୀଗୁଡା ଗ୍ରାମର ଗୌତମ ବିହାରୀଙ୍କ ଘରେ ଡ଼କାୟତି ଉଦ୍ୟମ ହୋଇଛି । ଏଥିରେ ୧୪ ଜଣ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ ମୁହଁରେ ମୁଖା ବାନ୍ଧି ମାରଣାସ୍ତ୍ର ଧରି ଗୌତମଙ୍କ ଘର ଗ୍ରୀଲ ଭାଙ୍ଗି ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଗୌତମ ଚିତ୍କାର କରିବାରୁ ଡକାୟତ ମାନେ ଫେରାର ମାରିଥିଲେ । ଏହି ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।
ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲାର ଖମାର ହଲଦି ଗ୍ରାମରେ ଜଣଙ୍କ ଘରେ କିଛି ଦୁର୍ବୃତ୍ତ ପଶି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ । ଏହାର କିଛିଦିନ ପରେ ପଞ୍ଜିଆରେ ମାରଣାସ୍ତ୍ର ଦେଖାଇ ୧୦ ଜଣ ଡକାୟତ କିଶନ ମେହେର ନାମକ ଜଣେ ବ୍ୟକ୍ତିଙ୍କ ଘର ଝରକା ଭାଙ୍ଗି ୫ ଲକ୍ଷ ୩୫ ହଜାର ଟଙ୍କା, ୫ ଭରିସୁନା ଓ ୩୪ ତୁଲା ରୂପା ଲୁଟି ନେଇଥିଲେ । ସେହିପରି କୋକସରା ବ୍ଲକର କାଉଡ଼ିଲା ଗ୍ରାମରେ ସଶସ୍ତ୍ର ଡକାୟତି ହୋଇଥିଲା । ଗ୍ରାମର ସୁରଥ ସରାବୁଙ୍କ ଘର ଝରକା ଭାଙ୍ଗି ଡକାୟତମାନେ ୭୦ ହଜାର ଟଙ୍କା ଓ ୭ ଭରି ସୁନାଗହଣା ଲୁଟି ନେଇଥିଲେ । ମଦନପୁର ରାମପୁର ବ୍ୟାଙ୍କରୁ ଅଜା ଓ ନାତି ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ମଦନପୁର ରାମପୁର ଥାନା ରାଜ୍ୟ ରାଜପଥ ୫୯ର ସଡ଼େଲ ଜଙ୍ଗଲରେ ୩ ଜଣ ଦୁର୍ବୃତ୍ତ ରାସ୍ତାରେ ଅଟକାଇ ମାଡ଼ ମାରିବା ସହ ୪୯ ହଜାର ଟଙ୍କା ଲୁଟି ନେଇଥିଲେ । ଏହାର ୨ଦିନ ପରେ ମଦନପୁର ଗ୍ରାମର ଭୂପିନ୍ଦ୍ର ରଣା ମଦନପୁର ରାମପୁର ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ରାମୁଡ଼ ଜଙ୍ଗଲ ନିକଟରେ ୩ ଜଣ ଡକାୟତ ପଛପଟୁ ଧକ୍କା ଦେଇ ତାଙ୍କ ଠାରୁ ୬ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଥିଲେ । ତେବେ ଗତ ଦୁଇ ମାସରେ ଦୁର୍ବୃତ୍ତଙ୍କ ଏଭଳି ଆତଙ୍କ ଖେଳିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏମାନଙ୍କୁ ଧରିବାରେ ସଫଳ ହୋଇନଥିବା ସୂଚନା ମିଳିଛି । ସେପଟେ ଲୁଟେରାଙ୍କୁ ଧରିବା ନିମନ୍ତେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି । ଖୁବଶୀଘ୍ର ଏକ ବଡ଼ ସଫଳତା ମିଳିବ ବୋଲି ପୋଲିସ ଅଧିକାରୀ ଆଶା ବାନ୍ଧିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି