ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ସରକାରୀ ANM ଟ୍ରେନିଂ ସେଣ୍ଟରରେ ଛାତ୍ରୀଙ୍କୁ ରାଗିଂ ଏବଂ ଘଟଣାକୁ ଚପାଇବା ପାଇଁ କର୍ତ୍ତୃପକ୍ଷଙ୍କ ଉଦ୍ୟମ ମାମଲାର ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ପରେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ରାଗିଂର ଶିକାର ହୋଇଥିବା ଛାତ୍ରୀ ଅଭିଯୋଗ କରିବା ପରେ ତାଙ୍କୁ ଅନଲାଇନ କ୍ଲାସରୁ ବାଦ୍ ଦିଆଯାଇଥିବା ଜଣାପଡିଛି ।
ଖବର ଅନୁଯାୟୀ, କିଛି ଦିନ ତଳେ ଏହି ଏଏନ୍ଏମ୍ ଟ୍ରେନିଂ ସେଣ୍ଟରର କେତେକ ପ୍ରଥମ ବର୍ଷ ଛାତ୍ରୀ ଓ ଦ୍ବିତୀୟ ବର୍ଷର ୨ ଜଣ ଛାତ୍ରୀ ରାଗିଂର ଶିକାର ହୋଇଥିଲେ । ପ୍ରଥମ ବର୍ଷର ଜଣେ ଛାତ୍ରୀ ଅତିମାତ୍ରାରେ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ରାଗିଂ କରିଥିବାରୁ ସେ ଅଚେତ ହୋଇ ପଡ଼ିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରୁ ଫେରିବା ପରେ ମଧ୍ୟ ତାଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀ ଜଣଙ୍କ ଗତ ଏପ୍ରିଲ ୧୩ ତାରିଖରେ ଟ୍ରେନିଂ ସେଣ୍ଟର ଇନ୍ଚାର୍ଜ ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କରିଥିଲେ ।
ହଷ୍ଟେଲରେ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଦିଆଯାଉ ନଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ କିଛି ଦାୟିତ୍ବରୁ ମୁକ୍ତ କରିଥିଲେ । କେବଳ ସେତିକି ନୁହେଁ, ତାଙ୍କୁ ଦ୍ୱିତୀୟ ବର୍ଷର ଇଣ୍ଟରନାଲ ମାର୍କ, ପ୍ରାକ୍ଟିକାଲ ମାର୍କ କମ୍ ଆସିବ ବୋଲି ଧମକ ଦେଇ ଏହି ଘଟଣା ବାହାରେ ପ୍ରଘଟ କଲେ ହଷ୍ଟେଲରୁ ବାହାର କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏପରିକି ତାଙ୍କୁ ଅନ୍ଲାଇନ୍ କ୍ଲାସ ଗ୍ରୁପରୁ ମଧ୍ୟ ବାହାର କରି ଦିଆଯାଇଥିବା ଅଭିଯୋଗ ହୋଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ