ଭବାନୀପାଟଣା: ଦୂର ହେଉନି ଜନନୀ ଯନ୍ତ୍ରଣା । ପୁଣି ଥରେ ସରକାରଙ୍କ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଆମ୍ବୁଲାନ୍ସକୁ ଅପେକ୍ଷା କରି ମୃତଶିଶୁ ଜନ୍ମ କରି ଗୁରୁତର ହୋଇଛନ୍ତି ପ୍ରସୂତି । ମେଡିକାଲକୁ ଯିବା ପାଇଁ ଗାଁରୁ ୬ କିମି ଷ୍ଟ୍ରେଚରରେ ବୁହାହୋଇ ଆସିଲେ । କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଥୁଆମୁଳ ରାମପୁର ବ୍ଲକ ଦୁର୍ଗମ ଇଲାକା ଦାଣ୍ଡପଦର ଗାଁର ଏ ଦୃଶ୍ୟ ସ୍ବାସ୍ଥ୍ୟସେବାର ଅସଲି ଚିତ୍ରକୁ ପଦାରେ ପକାଇଛି ।
ସୂଚନା ଅନୁଯାୟୀ, ଦାଣ୍ଡପଦର ଗାଁର ମହିଳା ଜୀବନଦେଇ ମାଝିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ବହୁ ବିଳମ୍ବରେ ପହଞ୍ଚିଲା । ଏତିକି ବେଳେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଜୀବନଦେଇ । ଆମ୍ବୁଲାନ୍ସକୁ ଅପେକ୍ଷା କରି ଶେଷରେ ଗାଁରେ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ । ପ୍ରସବ ହେବା ପରେ ମହିଳା ଜଣକ ଗୁରୁତର ହୋଇପଡ଼ିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: କଳାହାଣ୍ଡିରେ ଦୋକାନ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର
ଆମ୍ବୁଲାନ୍ସ ରାୟଗଡା ଜିଲ୍ଲା କାଶୀପୁର ଠାରୁ ପ୍ରାୟ ୩୫ କିମି ଯିବାବେଳେ ଗର୍ଭବତୀଙ୍କ ଗାଁ ଠାରୁ ୬ କିମି ଦୂରରେ ରାସ୍ତା ନଥିବାରୁ ଗାଡ଼ି ଆଗକୁ ଯାଇପାରିନଥିଲା । ପରିଶେଷରେ ପରିବାର ଲୋକେ ଏବଂ ଗ୍ରାମବାସୀ ଏକ ଷ୍ଟ୍ରେଚର ଯୋଗେ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଥିଲେ । ଏହାପରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ମଧ୍ୟ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।
ଇଟିଭି ଭାରତ, କଳାହାଣ୍ଡି