ଭବାନୀପାଟଣା: ବ୍ରିଜରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରୁ ବାହାରୁଛି ଗଞ୍ଜେଇ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ କିନେରକେଲା ବ୍ରିଜରେ ପିଟି ହୋଇଥିଲା ଏହି କାର ।
ତେବେ କେତେ ପରିମାଣର ଗଞ୍ଜେଇ ବାହାରିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ଅନ୍ୟପକ୍ଷରେ ଦୁର୍ଘଟଣାରେ ଚାଳକଙ୍କୁ ମିଶାଇ ୨ ଜଣ ଗୁରୁତର ହୋଇଥିବାବେଳେ ପଶ୍ଚିମବଙ୍ଗର ନମ୍ବର ଥିବା ଏହି କାର ଚାଳକ ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଇଣ୍ଡିକା କାରରେ ରାଞ୍ଚିର ମୁନା କୁମାର ଝା ଓ ବିହାର ପାଟଣାର ବିପିନ କୁମାର ଝା ବଲାଙ୍ଗୀର ପଟେ ଯାଉଥିଲେ । କିନେରକେଲା ବ୍ରିଜ ନିକଟରେ ଭାରସାମ୍ୟ ହରାଇ କାରଟି ବ୍ରିଜ ବାଡକୁ ଧକ୍କା ଦେଇଥିଲା। ଫଳରେ କାରଟି ଚୁରମାର ହୋଇ ବ୍ରିଜରେ ଝୁଲନ୍ତା ଅବସ୍ଥାରେ ରହିଥିଲା।
ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ପୋଲିସକୁ ଖବର ଦେବା ସହ ଚାଳକଙ୍କୁ ଉଦ୍ଧାର କରିଥିଲେ । ଖବରପାଇ ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି କାର ଭିତରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଉଭୟଙ୍କୁ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପରେ ପୋଲିସ କାରଟିକୁ ଉଦ୍ଧାର କରିବା ସମୟରେ କାର ଭିତରୁ ପ୍ୟାକିଙ୍ଗ ଥିବା ପୁଡ଼ିଆ ଦେଖି ଯାଞ୍ଚ କରିବା ସମୟରେ ତାହା ଗଞ୍ଜେଇ ବୋଲି ଜଣାପଡିଥିଲା। ତେବେ କେତେ ପରିମାଣର ଗଞ୍ଜେଇ ତାହା ସ୍ପଷ୍ଟ ହୋଇ ନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ