ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାବାଳକଙ୍କ ମୃତ୍ୟୁକୁ ନେଇ ଗୁରୁବାର ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରୁ ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ମୃତଦେହ ରଖି ରାସ୍ତାରୋକ କରିଥିବା ସୂଚନା ମିଳିଛି ।
ଜିଲ୍ଲାରେ ଥିବା ନର୍ଲା ଗ୍ରାମର କୈବଲ୍ୟ ସେନାପତିଙ୍କ ନାବାଳକ ପୁଅର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କୁ ସଠିକ ଚିକିତ୍ସା ନ ଦେବାରୁ ନାବାଳକର ମୃ୍ତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।
ପରେ ନାବାଳକ ମୃତ୍ୟୁର କ୍ଷତିପୂରଣ ଦାବି କରି ଭବାନୀପାଟଣା ବାଲିଗୁଡା ରାଜ୍ୟ ରାଜପଥ ଉପରେ ମୃତଦେହ ରଖି ଆନ୍ଦୋଳନ କରୁଛନ୍ତି । ଫଳରେ ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଛି । ଘଟଣା ସଂପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ