ଭବାନୀପାଟଣା: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଲାଣି । ଏହା ଭିତରେ ସରକାରଙ୍କର ମାଳ ମାଳ ଯୋଜନା ହୋଇଛି । ବିକାଶ ନାଁରେ ପାଣି ପରି ବହିଛି କୋଟି କୋଟି ଟଙ୍କା । ହେଲେ ଏବେ ବି ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଓଡିଶାର ଅନେକ ଗାଁ । ଡିବିରି ଆଲୁଅରେ ଦିନ କାଟୁଛନ୍ତି ଶହ ଶହ ଲୋକେ । ଗାଁକୁ ଚାଲ ଗାଁକୁ ଗଢ଼ ସ୍ଲୋଗାନ ନେଇ ଗ୍ରାମାଞ୍ଚଳରେ ଗଡ଼ୁଥିବା ସରକାରଙ୍କ ବିକାଶ ରଥ ସତେ ଯେପରି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳକୁ ପହଞ୍ଚି ପାରୁନି । ସେଭଳି କିଛି ଦୃଶ୍ୟ ରହିଛି କଳାହାଣ୍ଡି ଜିଲ୍ଲା ସଦର ବ୍ଲକର ବଣ ପାହାଡ଼ ଘେରା ଯୁଗସାଇପାଟଣା ପଞ୍ଚାୟତରେ । ଏହି ପଞ୍ଚାୟତରେ ୩୫ଟି ଗାଁ ରହିଥିବା ବେଳେ କେଉଁ ଗାଁକୁ ପାଦ ଚଲା ପକ୍କା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ତେବେ ବିଜୁଳି ଭଳି ମୌଳିକ ବ୍ୟବସ୍ଥା ସେମାନଙ୍କ ପାଖରେ ପହଞ୍ଚି ମଧ୍ୟ ଅପହଞ୍ଚ ।
୩୫ ଗାଁରେ ଲାଗିଛି ଟ୍ରାନ୍ସଫର୍ମର, ଜଳୁନି ବିଜୁଳି: ଯୁଗସାଇପାଟଣା ପଞ୍ଚାୟତରେ ରହିଛି ୩୫ ଖଣ୍ଡ ଗାଁ । ଜିଲ୍ଲାର ଅତି ଉପାନ୍ତ ଓ ମାଓ ଇଲାକା ଭାବରେ ପରିଚିତ ଏହି ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ ଅନେକ ଗାଁକୁ ପାଦ ଚଲା ପକ୍କା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ହେଲେ କିଛି ଏମିତି ଯୋଜନା ମଧ୍ୟ ରହିଛି, ଯାହା ସେମାନଙ୍କ ପାଖରେ ପହଞ୍ଚି ମଧ୍ୟ ଅପହଞ୍ଚ ହୋଇ ରହିଛି । ଏହି ପଞ୍ଚାୟତ ୩୫ଟି ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ପାରିନାହିଁ । ଗତ ୧୦ ବର୍ଷ ତଳେ ଆଞ୍ଚଳବାସୀଙ୍କ ଅନେକ ଆନ୍ଦୋଳନ ପରେ ସମସ୍ତ ଗାଁରେ ଟ୍ରାନ୍ସଫର୍ମର ବସିଲା । କେବୁଲ ଟଣା ହେବା ସହ ଘରେ ଘରେ ମିଟର ମଧ୍ୟ ଲାଗିଲା । ବିଦ୍ୟୁତ ସେବା ପାଇବାର ଖୁସିରେ ଲୋକେ ଟିଭି ସାଙ୍ଗକୁ ନାନାଦି ବିଦ୍ୟୁତ ଉପକରଣ କିଣି ଆଣିଲେ । ହେଲେ ୮ ଦିନ ପରେ ଜଳିଲା ନାହିଁ ବିଜୁଳି । ସରକାର ପ୍ରତି ଘରକୁ ବିଜୁଳି ନାରା ଦେଉଥିବା ବେଳେ ଲୋକେ ଡିବିରି ଆଲୁଅରେ ଜୀବନ ଯାପନ କରିବା ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ଉପରେ ଉଠାଇଛି ଏକ ବିରାଟ ପ୍ରଶ୍ନବାଚୀ ।
ବିଦ୍ୟୁତ ସଂଯୋଗ ପାଇଁ ଆଶା ଦେଖାଇ ନିରାଶା କଲା ବିଦ୍ୟୁତ ବିଭାଗ: ଏହି ଗାଁ ଗୁଡ଼ିକରେ ବିଦ୍ୟୁତ ତାର ଟଣାଯିବାର ଦୀର୍ଘ ବର୍ଷ ବିତିଥିଲେ ସୁଦ୍ଧା ଆଜି ବିଜୁଳି ସେବାରୁ ବଞ୍ଚିତ ଏହି ପଞ୍ଚାୟତବାସୀ । ବିଦ୍ୟୁତ ସଂଯୋଗ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଜଙ୍ଗଲୀ ଜନ୍ତୁଙ୍କ ଉପରେ ବିପଦ ଦର୍ଶାଇ ସଂଯୋଗକୁ ବନ୍ଦ କରିଦେଲା ବିଦ୍ୟୁତ ବିଭାଗ । ସେହିଦିନଠାରୁ ପୂର୍ବଭଳି କିଟିମିଟି ଅନ୍ଧାର ଭିତରେ ଦିନ କାଟୁଛନ୍ତି ଲୋକେ । ଏହି ଅନ୍ଧାରି ମୂଲକରେ ଶିକ୍ଷାର ଚିତ୍ର ନକହିବା ଭଲ । ଦିନ ତମାମ ପିଲାଏ ପଠା ପଢ଼ୁଥିବା ବେଳେ ରାତିରେ ଚିମିନି ଆଲୁଅରେ ପାଠ ପଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ବିଜୁଳି ପାଇଁ ସ୍ଥାନୀୟ ଲୋକେ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ସୋଲାର ମାଧ୍ୟମରେ ବିଦ୍ୟୁତ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ଆମେ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲୁ । ହେଲେ ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, କଳାହାଣ୍ଡି